କୁସୁମେ ସୁବେଶ ପ୍ରଭୁ ପୀତବାସ
କୁସୁମେ ସୁବେଶ ପ୍ରଭୁ ପୀତବାସ
ପୁଷ୍ପ ପ୍ରିୟ ସ୍ଵୟଂ ପ୍ରଭୁ ପୀତବାସ
ପୁଷ୍ପ ଅଳଙ୍କାର ଧାରେ
ପହୁଡ଼ ଅଥବା ଶୟନ କାଳରେ
ପୁଷ୍ପ ଶୃଙ୍ଗାର ବେଶରେ
ପଦ୍ମ, ମଲ୍ଲି,ଗେଣ୍ଡୁ, ଚମ୍ପା, ଜାଇ, ଜୁଇ
ପୁଣି ତରାଟ, ଟଗର
ମାଳତୀ ,ଗୋଲାପ,ତୁଳସୀ, ଦୟଣା
ସାଥେ ହୁଏ ଅଳଙ୍କାର
ଚନ୍ଦନ,କର୍ପୁର, କସ୍ତୁରୀ ତ୍ରିଗନ୍ଧ
ଲାଗି ହୁଏ ଶ୍ରୀଅଙ୍ଗରେ
ତୁଳସୀର ଗଭା,ତୁଳସୀ ଚନ୍ଦ୍ରିକା
ଲାଗେ କପାଳ ଦେଶରେ
ରତ୍ନ ସିଂହାସନ ସ୍ଥିତ ଶ୍ରୀବିଗ୍ରହ
ଦୈନିକ ହୁଅନ୍ତି ବେଶ
ବଡ ସିଂହାର , ଶୃଙ୍ଗାର ନାମରେ
ପୁଷ୍ପ ଅଳଙ୍କାରେ ବେଶ
ପ୍ରଥମରେ ବସ୍ତ୍ର ଶୃଙ୍ଗାର ବିଧାନ
ପରେ ଆଭୂଷଣ ବେଶ
ପହୁଡ଼ ବା ଶୟନ କାଳେ ନିହାତି
ପୁଷ୍ପରେ ଶୃଙ୍ଗାର ବେଶ
ସନ୍ଧ୍ୟା ଧୂପ ମଇଲମ ପରେ ପରେ
ହୁଅଇ ବେଶ ଓଲଗୀ
ଚନ୍ଦନ କର୍ପୂର କସ୍ତୁରୀ ତ୍ରିଗନ୍ଧ
ମିଶ୍ରିତ ଚନ୍ଦନ ଲାଗି
ପରେ ହୁଅଇ ବଡ ଶୃଙ୍ଗାର ବେଶ
ଥାଇ ପୁଷ୍ପ ଅଳଙ୍କାର
ପିନ୍ଧି ଗୀତ ଗୋବିନ୍ଦ ଲେଖା ଖଣ୍ଡୁଆ
ଶୋଭା ନାହିଁ ପଟାନ୍ତର
ବିଭିନ୍ନ ପୁଷ୍ପ ତୁଳସୀ ଦୟଣା ମିଶ୍ରିତ
ହୁଏ ଅଳଙ୍କାର ପୁଷ୍ପରେ
ଶୟନ କାଳୀନ ବେଶରେ ପହୁଡ଼
ବଡ ସିଂହାର ବେଶରେ
ଶ୍ରୀଜୀଉଙ୍କ ଶିରଦେଶ ରେ ବି ପୁଷ୍ପ
ପୁଣି ତୁଳସୀର ଗଭା
ରଖାଯାଏ ଗଭା ଉପରେ ଚନ୍ଦ୍ରିକା
ଦେଖିବାକୁ ମନଲୋଭା
ଦୁଇ ଠାକୁରଙ୍କ କପାଳେ ତିଳକ
ଗୁଣା,ଝୁମ୍ପା ନାକୁଆସି
ଅଧର ମାଳା ଓ ଚଉସରା ମାଳା
ଶ୍ରୀପୟର ଛୁଏଁ ଆସି
ଶ୍ରୀ ଭୂଜ ରେ କର ପଲ୍ଲବ ଦୁଇଟି
ନଖ ତୁଳସୀ ନାଭି ରେ
ହୃଦୟରେ ଶ୍ରୀପଦକ ସହ ଶୋଭା
ବାର ପୁଷ୍ପ ଅଳଙ୍କାରେ
ସୁଭଦ୍ରାଙ୍କ କର୍ଣ୍ଣେ ଫୁଲର ତଡାଗୀ
ଦିଶେ ଅତି ମନୋହର
ସୁଗନ୍ଧିତ ପତ୍ର ପୁଷ୍ପ ମହକ ରେ
ମହକଇ ଶ୍ରୀମନ୍ଦିର
ପୁଷ୍ପ ବେଶରେ ହିଁ ଆକର୍ଷିତ ହୋଇ
ଦେବୀ ଦେବତାଗଣ
ବିଳମ୍ବିତ ରାତ୍ରୀରେ ଆସନ୍ତି ନିତି
କରିବାକୁ ଦରଶନ
ରାତ୍ରୀ ପରେ ଆଦ୍ୟ ପ୍ରଭାତ ମୁହୂର୍ତ୍ତେ
ହୁଏ ମଙ୍ଗଳ ଆଳତି
ମଇଲମ ପରେ ପୁଷ୍ପ ଅଳଙ୍କାର
ସଂଗୃହିତ ହୁଏ ନିତି
ବଳଭଦ୍ରଙ୍କ ଅଧର ମାଳା ଲାଗି
ଦେବୀ ବିମଳାଙ୍କ ପ୍ରତି
ଜଗନ୍ନାଥଙ୍କ ଅଧର ମାଳା ଯାଏ
ନିତି ବେଢ଼ା ଲକ୍ଷ୍ମୀ ପ୍ରତି
ସୁଭଦ୍ରାଙ୍କ ଅଧର ମାଳା ଲାଗଇ
ଉତ୍ତରୟାଣୀଙ୍କ ଅଙ୍ଗେ
ଶ୍ରୀନଅର କନକ ଦୁର୍ଗାଙ୍କୁ ନିତି
ଜୀଉଙ୍କର ଝୁମ୍ପା ଲାଗେ
ବାଟ ମଙ୍ଗଳାଙ୍କୁ ଲାଗିହୁଏ ନିତି
ବଳଭଦ୍ରଙ୍କ ଚନ୍ଦ୍ରିକା
ଦକ୍ଷିଣକାଳୀ ଙ୍କୁ ଲାଗିହୁଏ ନିତି
ଜଗନ୍ନାଥଙ୍କ ଚନ୍ଦ୍ରିକା
ମା ସୁଭଦ୍ରାଙ୍କ ଚନ୍ଦ୍ରିକା ଯାଏ ନିତି
ହରଚଣ୍ଡି ନିକଟକୁ
ଅନ୍ୟ ପୁଷ୍ପ ଅଳଙ୍କାର ଲାଗିହୁଏ
ଶ୍ରୀକ୍ଷେତ୍ର ଦେବଦେବୀଙ୍କୁ
ଫୁଲ ଅଳଙ୍କାର ଭରା ବେଶେ ଥାଇ
ଦେବଦାସୀ ନାଚ ଦେଖି
ପୂର୍ବେ ପହଡ କୁ ଯାଉଥିଲେ ନିତି
କଳା ପ୍ରେମୀ ଚକାଆଖି
ଧନ୍ୟ ପ୍ରଭୁ ବେଶଭୂଷା ର ମହିମା
ଧନ୍ୟ ତୁମ ପୁଷ୍ପ ବେଶ
ଫୁଲ ବେଶ ଥାଇ ଶୋଉ ଅଛ ନିତି
ଆଶା,ଦେଖିବାକୁ ବେଶ ।।
