କୁହୁକ କ୍ଷେତ୍ର ଶ୍ରୀକ୍ଷେତ୍ର
କୁହୁକ କ୍ଷେତ୍ର ଶ୍ରୀକ୍ଷେତ୍ର


କେତେ ଯେ ହୁନ୍ଦର,କେତେ ଯେ କୁହୁକ
ଥିଲା ଗୋପ ନଗରୀରେ
ଗୋପ ଭୁଲି ସିନା ରହିଲେ ନାଗର
କୁହୁକ ଥିଲା ଗୋପରେ
ହମ୍ୱା ରଡ଼ି କଲେ କୃଷ୍ଣ କୃଷ୍ଣ ଧ୍ଵନି
ସତେ କି ହୁଏ ନେହୁରା
କି କୁହୁକ ଥିଲା କାହ୍ନା ବଇଁଶୀ ରେ
କୃଷ୍ଣ ମୟ ଗୋପ ସାରା
କୃଷ୍ଣ ବିନା ଗୋପ ନଗର ଅବସ୍ଥା
ଉଦ୍ଧବ ହୋଇଲେ ଜ୍ଞାତ
କୁହୁକ କହିଲେ ହେବନି ଅତ୍ୟୁକ୍ତି
କୃଷ୍ଣ ମୟ ଗୋପ କ୍ଷେତ୍ର
ଗୋପପୁରେ ଭ୍ରମି ଗୋପ ଶିରୀ ସ୍ଥିତି
ଉଦ୍ଧବ କ୍ରମଶଃ ଜ୍ଞାତ
କହ୍ନାଇଁ ପ୍ରେମର ସୁରାକ ସର୍ବତ୍ର
ଆପେ ହେଲେ ଅବଗତ
କୃଷ୍ଣଙ୍କ ବିହୁନେ କୃଷ୍ଣ ସମ୍ବୋଧନେ
ଭାବ କୃଷ୍ଣ ବିଷୟକ
"ଗୋପପୁର କାହ୍ନା" ବଇଁଶୀ ସ୍ୱନରେ
କଲେ କି ସତେ କୁହୁକ !
ସ୍ଵୟଂ ପରଂବ୍ରହ୍ମ କୃଷ୍ଣ ଜଗନ୍ନାଥ
ସ୍ଥାନ କାଳ ପାତ୍ରେ ନାମ
ଦ୍ଵାପରେ କହ୍ନେଇ କଳିରେ କାଳିଆ
ବହୁ ରୂପୀ ବହୁ ନାମ
କୃଷ୍ଣ ଯହିଁ ଗୋପ ତହିଁ ପୁରୀ ସେହି
ରାଧା କୃଷ୍ଣଙ୍କ ଅଙ୍ଗରେ
ଆଲିଙ୍ଗନ ମୁଦ୍ରା ସହ ବିଦ୍ୟମାନ
ରାଧାକୃଷ୍ଣ ଏକାକାରେ
ଏ ସାରା ସଂସାର ଜଞ୍ଜାଳ ବୁଝନ୍ତି
ସ୍ଵୟଂ କୃଷ୍ଣ ଜଗନ୍ନାଥ
ଶ୍ରୀମୁଖ କେବଳ ରହିଅଛି ମୁକ୍ତ
ରାଧା ଠାରୁ ନୁହେଁ ମୁକ୍ତ ।
ମାନବୀୟ ଲୀଳା ସଦା ପ୍ରକଟିତ
ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ
ଭବ୍ୟ ଗୋପ ଲୀଳା ପ୍ରଦର୍ଶିତ ପ୍ରାୟ
ପ୍ରତିଦିନ ଶ୍ରୀମନ୍ଦିରେ
ଗୋପ ଲୀଳା ସାରି ଶ୍ରୀକ୍ଷେତ୍ର ପୁରୀ ରେ
ଜଗନ୍ନାଥ ରୂପେ ବିଜେ
ଗୋପ ଲୀଳା ସ୍ମୃତି ହୁଏ ଉଜ୍ଜୀବିତ
ପୁରୀ ଗୋପପୁର ସାଜେ
ଦର୍ଶନ ମାତ୍ରେକ କଳା ଶ୍ରୀମୁଖକୁ
ମନ ମଧ୍ୟେ ଯାଏ ଲାଖି
ଶ୍ଵେତ ପଦ୍ମ ଆଖି ନାଚଇ ଆଖିରେ
ଅନ୍ତର ଆତ୍ମା ହିଁ ସାକ୍ଷୀ
ସୂର୍ଯ୍ୟ ଚନ୍ଦ୍ର ତେଜ ଅଛି ନୟନରେ
ଦେଖନ୍ତି ସାରା ସଂସାର
ପତିତ ପାବନ ଉଡୁଛି ନେତରେ
ଦର୍ଶନରେ ପାପ ଦୂର
ଦିବ୍ୟ ଅନୁଭବ ହୁଏ ହୃଦୟରେ
ଶ୍ରୀମୁଖ କଲେ ଦର୍ଶନ
ଭୌତିକ ସଂସାର ଭିତରେ ଜୀବନ
ଭୁଲି ଯାଏ ସେଇ କ୍ଷଣ ।
କିଏ କହେ ଶ୍ରୀରାଧାଙ୍କ ଆଲିଙ୍ଗନ
ଶ୍ରୀମୁଖ ସହ ଜଡ଼ିତ
ଧଳା ଶରୀରକୁ ଆବୋରି ଅଛନ୍ତି
ଶ୍ରୀରାଧା କେବଳ ମାତ୍ର
ଆଲିଙ୍ଗନ ଭାବ ବୁଝିଗଲେ ଥରେ
ତୁଟିଯିବ ଆପେ ମୋହ
ହୃଦେ ପ୍ରେମ ଭକ୍ତି ଭାବ ହେଲେ ଯୋଡ଼ି
କୁହୁକ ହେବ ପ୍ରତ୍ୟୟ
ଦ୍ଵାପର ଯୁଗରେ କୃଷ୍ଣ ଅବତାରେ
ରଚି ଥିଲେ ଯେଉଁ ଲୀଳା
ଶ୍ରୀକ୍ଷେତ୍ରରେ ସେହି ବେଶ ହୁଏ ପ୍ରାୟ
ଦେଖି ବୁଝି ହୁଏ ଲୀଳା
ବଡ ଖିଆ ପ୍ରଭୁ ବୋଲି ଜାଣେ ଏ ଜଗତ
ଦେଖି ଆନନ୍ଦ ବଜାର
ଖଜା ପିଠା ସରପୂଳି ର ସମ୍ଭାର
ଭକ୍ଷଣେ ଶାନ୍ତ ଉଦର
ଗତି ମୁକ୍ତି ପାଇଁ କରେ ନିବେଦନ
କୃପା କର ଜଗନ୍ନାଥ
ପ୍ରବଳ ହେଉଛି ସଂସାର ଜଞ୍ଜାଳ
ଅସ୍ଥିର ହେଉଛି ଚିତ୍ତ
ଏ କଳି କାଳରେ, ପାପର କାଳିମା
ହୃଦୟରେ କଳି କଳା
ପ୍ରଭୁ ନାମ ଧ୍ୟାୟୀ ଧୋଇ ଯାଉ କଳା
ମାଗୁଣି ହେ ଚକାଡୋଳା
ଚକା ଆଖି ଦେଖି ଆଖି ଯାଏ ଲାଖି
ନିତି ଦେଖିବାକୁ ମନ
ଜଞ୍ଜାଳ ଜାଲରେ ଛନ୍ଦି ହୋଇଅଛି
ମୁକ୍ତି ପାଇଁ ନିବେଦନ
କି କୁହୁକ କର ଶ୍ରୀକ୍ଷେତ୍ରରେ ରହି
ଦର୍ଶନ ପାଇଁ ଉଚ୍ଚାଟ
ଗୋପରେ କୁହୁକ ଶ୍ରୀକ୍ଷେତ୍ରେ କୁହୁକ
ସବୁଠି କୁହୁକ ନାଟ !