କୁହୁକ ବନର ମହକ
କୁହୁକ ବନର ମହକ
ଭୁରୁ ଭୁରୁ ବାସେ କାହାର ମହକ
ଏ ତ ହେନା ଯାଇ ଯୁଇ ନୁହେଁ!,
ମହକ ସନ୍ଧାନେ ପହଂଚିଲି ଯାଇ
ଫୁଲ ଅରଣ୍ୟର ଦୁଆର ମୁହେଁ।
କୁନି କଳିକାଙ୍କ ସମ୍ଭାର ଦେଖିଲି
ଦୁନିଆ ଯାହାକୁ କୁହେ ଅନାଥ,
କୁହୁକ ବନର ତୁମେ ତ କଳିକା
ପୁଷ୍ପମୟ ହେଉ ତୁମରି ପଥ।
ଅନାଥ ନୁହଁ ଲୋ ତୁମେ ମାନେ ସବୁ
ଅନେକ ମାଆଙ୍କ ଗୁଣୀ ସନ୍ତାନ,
ପଥପ୍ରାନ୍ତେ ଯିଏ ଫିଙ୍ଗିଲା ତୁମକୁ
ଆତତାୟୀ ସିଏ ବୋଲଇ ଜାଣ।
ନିରୀହ ମୁହଁର ଚେନାଏ ହସରେ
କିଣି ହୋଇଯାଅ କୋଟିଏ ମନ,
କରୁଣ ଚାହାଣି ବ୍ୟଥିତ କରଇ
ତୁମେମାନେ ପରା ଅମୂଲ୍ୟ ଧନ।
