କୁହ ହେ ଶ୍ରୀକୃଷ୍ଣ
କୁହ ହେ ଶ୍ରୀକୃଷ୍ଣ


ହେ ସଖା, ଶ୍ରୀକୃଷ୍ଣ କାହିଁକି ବିଷଣ୍ଣ
କିବା ଅପରାଧ
ହେଲା ମୋହର !
ଦିନ ଦିନ ଧରି ନୀରବ ରହିଲ
ଦେଲ ନାହିଁ ମୋତେ
ମୋର ଉତ୍ତର !!
କାହ୍ନା ରୂପେ ତୁମେ କଉତୁକ ବାଣ୍ଟି
ନାମ ନେଇଥିଲ
କଳା କହ୍ନେଇ ।
ଦ୍ଵାରିକାଧିପତି ! ରାଜସିଂହାସନେ
କି ଯଶ ଲଭିଲ
ଶାସକ ହୋଇ ?
ଯେଉଁ ହାତ ତୁମ ବଇଁଶୀ ସୁରରେ
ମାନବ ପ୍ରେମକୁ
ପ୍ରସାରୁଥିଲା !
ଶ୍ରୀକୃଷ୍ଣ ହସରେ ଚକ୍ର ପ୍ରୟୋଗରେ
ମାନବବାଦକୁ
ବିନାଶ କଲା !
କଦମ୍ବର କୋଳ ଯମୁନାର ଜଳ
ଗୋପୀଙ୍କ ଓଠର
ବାତ୍ସଲ୍ୟ ହସ !
ଦେଇ କି ପାରିଲା କୁହ ଚକ୍ରପାଣି
ରାଜ ସିଂହାସନ
ପ୍ରେମ ପରଶ ?
ପ୍ରେମରେ ବିଜୟ ପ୍ରକୃତ ବିଜୟ
ଯୁଦ୍ଧରେ ହୃଦୟ
ଜିଣି କି ହୁଏ ?
କୁରୁକ୍ଷେତ୍ର, ପୁଣି କଳିଙ୍ଗ ସମର
ନିଷ୍ଠୁର ସତ୍ୟର
ପ୍ରମାଣ ଦିଏ ।
କୁହ ହେ ଶ୍ରୀକୃଷ୍ଣ କି ଯଶ ଲଭିଲ
ଦ୍ଵାରିକାଧିପତି
ରୂପରେ ରହି ?
ଛଳରେ ଛଳରେ ସ୍ୱାର୍ଥ ସାଧନାରେ
ବୀର ଅଭିମନ୍ୟୁ
ଜୀବନ ନେଇ !
ଅର୍ଜୁନ ରଥରେ ସାରଥୀ ରୂପରେ
ନିର୍ଘାତ ପଣରେ
ନୃଶଂସ ହେଲ ।
ପ୍ରଜାମାନଙ୍କର ରକ୍ଷକ ହୋଇ ବି
ଅର୍ଜୁନ ହାତରେ
ଜୀବନ ନେଲ ।
ଦୁର୍ଯ୍ୟୋଧନ ସିନା ଅପରାଧୀ ଥିଲା
ପ୍ରଜା ତ ନଥିଲେ
ଉତ୍ତରଦାୟୀ !
କାହିଁକି ତାହେଲେ କୂଟନୀତି କରି
ଧର୍ମ ଧ୍ୱଂସ କଲ
ନ୍ୟାୟର ପାଇଁ ?
ମାନବ ଧର୍ମ ବା ରାଜ ଧର୍ମ ହେଉ
ପ୍ରଧାନ ପ୍ରମୁଖ
ଜୀବନ ରକ୍ଷା ।
ଜୀବ ବିନିମୟେ ଧର୍ମର ପ୍ରତିଷ୍ଠା
ଏଇୟା ତ ନୁହେଁ
ନ୍ୟାୟର ଶିକ୍ଷା !
ଧର୍ମ ଆଢୁଆଳେ ଅହଂ ଅନ୍ତରାଳେ
ବନ୍ଧୁ ସ୍ୱାର୍ଥ ପାଇଁ
ବିବେକ ଦଂଶି ।
ପ୍ରଜା ପରିବାରେ ନିନ୍ଦନୀୟ ନୁହେଁ
ଅଭିଶପ୍ତ ହେଲ
ହେ ଦେବଅଂଶୀ !
କୁହ ହେ ଶ୍ରୀକୃଷ୍ଣ କାହାକୁ ଖୋଜିବି
ଦ୍ଵାରିକାଧିପତି
ଅଥବା,କାହ୍ନା ?
ଦ୍ଵାରିକାପୁରର ରାଜ ଉଆସକୁ
ଅବା ସେ କଦମ୍ବ
ସେଇ ଯମୁନା ??