କସ୍ତୁରୀ
କସ୍ତୁରୀ
କାହାକୁ ଖୋଜୁଛୁ?
ମୁଁ ଯିଏ, ତୁ ବି' ସିଏ,
କେବଳ ଫରକ୍ ଏତିକି
ମୁଁ ମୋତେ ଜାଣିଛି
ତୁ ତୋ ନିଜକୁ ଜାଣିବା
ଏବେ ମଧ୍ୟ ବାକି ରହି ଅଛି ।
ନିଜର ସତ୍ତାକୁ ଭୂଲି,
ଭ୍ରମରେ ଏ ମଣିଷ
ନିଜେ ନିଜକୁ ଖୋଜୁଛି ।
ଅନନ୍ତ କୋଟି ବ୍ରହ୍ମାଣ୍ତ
ମୁଁ ଯେ ତୋ ଅନ୍ତରେ ସ୍ଥାପିଛି
ମୋତେ ଥରେ ନୁହେଁ କେତେ ଥର
ମୁହଁ ଖୋଲି ପ୍ରମାଣ ଦେବାକୁ ପଡିଥିଲା,
କିନ୍ତୁ ତୋତେ, ତୋ ନିଜ ପରିଚୟ
ଆଜି କହ କିଏ ବା ମାଗୁଛି ?
ନିଜେ ନିଜକୁ ହଜାଇ ପୁଣି
ଅରଣ୍ୟ କାନ୍ତାରେ ଗୁମ୍ଫା ଗହିରୀରେ
ପାଗଳ ପରାଏ ନିଜେ ନିଜକୁ ଖୋଜିଛୁ ।
ଥରେ ନିଜ ଅନ୍ତରରେ ମନ ଦେଇ ଖୋଜ,
ନିଜକୁ ପାଇ ଗଲେ
ଅନନ୍ତ ବ୍ରହ୍ମାଣ୍ଡ ଭିତରେ
ଯେତେ ସବୁ ଖୋଜିବା ପାଇବା,
ପାଇ ପୁଣି ହରାଇବା,
ଅନନ୍ତ ଜିଜ୍ଞାସାର ଅନ୍ତ ହୋଇ ଯିବ,
ସେତେ ବେଳେ,
ତୋ ମୋ ଭିତରେ କିଛି ପାର୍ଥକ୍ୟ ନଥିବ ।
ଜଟାଜୁଟେ ସାଜି,
ନିଘଞ୍ଚ ଅରଣ୍ୟ, ଗହନ କାନ୍ତାରେ
ଅନ୍ଧାରୀ ଗୁମ୍ଫା ଗହରୀରେ
ନିଜେ ନିଜକୁ ହାରିଛି,
କସ୍ତୁରୀ ମୃଗ ତୁଲ୍ୟ, ନିଜେ ଜାଣେ ନାହିଁ,
ଅନାୟାସେ ନିଜେ ନିଜକୁ ଭୂଲିଛି,
ନିଜ ନାଭି କମଳକୁ ଭୂଲି
ଅନନ୍ତ ବ୍ରହ୍ମାଣ୍ଡେ ବ୍ରହ୍ମକୁ ଖୋଜୁଛି ।
ସାଗର ଜଳରେ ଲବଣ
ନିଜେ ନିଜ ସତ୍ତା ପରଖୁଛି,
ନିଜକୁ କେତେ ଛୋଟ ମଣେ ସିଏ,
କେମିତି ସେ ଭୂଲି ଯାଏ,
ଲବଣ ଯେ ସମଗ୍ର ସାଗରେ ବ୍ୟାପିଛି ।