କ୍ଷମାକର ବୁଦ୍ଧ
କ୍ଷମାକର ବୁଦ୍ଧ
ହେ ତଥାଗତ!
ତୁମେ ତ ଅମ୍ଳାନ ପ୍ରାଜ୍ଞ ପୁରୁଷ ଆଲୋକର ଉତ୍ସ
ଅବତରଣ କରି ଧରାଧାମେ ବୁଦ୍ଧ ଅବତାରେ
ତୁମେ ତ ଦେଖାଇଥିଲ ଦୁନିଆଁକୁ ନିର୍ବାଣର ପଥ
ତୁମେ ତ ବୁଝାଇଥିଲ ଆର୍ଯ୍ୟ ଅଷ୍ଟାଙ୍ଗିକ ମାର୍ଗ l
ତୁମେ ତ ଶିଖାଇଥିଲ ସଭିଙ୍କୁ ସଂଘର ମହତ୍ତ୍ବ
ତୂମେ ତ କହିଥିଲ ସରଳ ସହଜ ଭାଷାରେ
କାମନାର ବିନାଶରେ ହିଁ ହେବ ଦୁଃଖର ବିନାଶ
ଦୁଃଖର ବିନାଶ ଅନ୍ତେ ହେବ ସର୍ବସିଦ୍ଧ ପ୍ରାପ୍ତ l
ତୁମେ ତ କହିଥିଲ ବଜ୍ରକଣ୍ଠେ ସାରା ଦୁନିଆକୁ
ସଂସାରରେ ମାନବୀୟ ଦୁଃଖର ନାନାଦି କାରଣ
ତାହାର ନିରାକରଣ ନିର୍ମୂଳନର ଗୁଢ଼ ଉପାୟ
ଆଜି କାହିଁ ମଣିଷ କିଂକର୍ତ୍ତବ୍ୟବିମୁଢ ନିରୁପାୟ ?
ଅଳିକ କ୍ଷଣିକ ନିମିଷକ କାମନା ବାସନା ଉତ୍ତେଜନା
ସୁଖଲିପ୍ସା ଇନ୍ଦ୍ରିୟ ସମ୍ଭୋଗେ ମଣିଷ ସଦା ମଦମତ୍ତ
ଆଦିମ ପାଶବିକ ପ୍ରବୃତ୍ତିରୁ ନ ମିଳଇ ତିଳେ ନିଷ୍କୃତି
ଘୃଣିତ କାର୍ଯ୍ୟେ ବ୍ଯାପୃତିରୁ ଲଭୁଅଛି ଚରମ ଆତ୍ମତୃପ୍ତି l
ତଥାକଥିତ ଆତ୍ମଘୋଷିତ ସୁବିଧାବାଦୀ ପରାଙ୍ଗପୁଷ୍ଟ
ସାଧୁ ସନ୍ଥ ସନ୍ନ୍ୟାସୀ ବି ନୁହଁନ୍ତି ଏହି ଦୁଷ୍କୃତିରୁ ବିରତ
ମୋହ ମାୟାର ଭ୍ରମରେ କରନ୍ତି ଆଶ୍ରିତ ମତି ଭ୍ରମିତ
ବାରମ୍ବାର ଜନ୍ମ ଲଭି ସାଜିଛନ୍ତି ଅସରା ଦୁଃଖର ବଣିକ l
ପୁନର୍ବାର ପ୍ରଭୁ ଅବତର ହରିବାକୁ ପୃଥିବୀର ପାପଭାର
ଦୀନ ଅରକ୍ଷିତ ଜନେ ବାରେ ଦୟାକର ପ୍ରଭୁ ଦୟାକର
ପଥହୁଡ଼ା ବେସାହାରା ମଣିଷକୁ ଦେଖାଅ ପଥ ଆଲୋକର
କ୍ଷମାକର ପ୍ରଭୁ କ୍ଷମାକର ଦିଗଭ୍ରଷ୍ଟ ଆଶ୍ରିତଙ୍କୁ କ୍ଷମାକର ll