କୃତଜ୍ଞ ସିଂହ
କୃତଜ୍ଞ ସିଂହ
ଆଣ୍ଡ୍ରୋକ୍ଲିସ ନାମେ ଏକ ନିରୀହ ଯୁବକ ।
ସମ୍ଭ୍ରାନ୍ତ ମୁନିବଘରେ ଥିଲା ସେ ସେବକ ।।
କ୍ରୀତଦାସ ପଣେ ସହି ବହୁ ନିର୍ଯ୍ୟାତନା ।
କାମକରିଯାଏ ତାର ପେଟେନାହିଁ ଦାନା ।।
ମାଲିକ ଯାତନା ଯହୁଁ ହେଲା ଅତିଶୟ ।
ଛାଡ଼ିଚାଲିଗଲା ଦିନେ ହୋଇଣ ଅଥୟ ।।
ଇତସ୍ତତ ହୋଇ ଯାଇ ବନେ ବୁଲୁଥିଲା ।
ଦିନେ ଏକ ପଶୁରାଜ ହାବୁଡ଼େ ପଡ଼ିଲା ।।
ଭୋକିଲା ସିଂହଟି ତହିଁ ଅତି କଷ୍ଟେ ପଡ଼ି ।
ଆଗ ଗୋଡ଼ଟିକୁ ଟେକି ଛାଡୁଥିଲା ରଡ଼ି ।।
ଯୁବକଟି ଦେଖେ ସିଂହ ନିକଟେ ପହଞ୍ଚି ।
ହାତରେ ବିଦ୍ଧହୋଇଛି ଏକ ତୀକ୍ଷ୍ଣ ଛୁଞ୍ଚି ।।
ସନ୍ତର୍ପଣେ ଛୁଞ୍ଚିଟିକୁ ଧୀରେ କାଢ଼ିଦେଲା ।
ହିଂସ୍ରଜନ୍ତୁ ଆରାମରେ ପାଦକୁ ଚାଟିଲା ।।
କିଛିଦିନପରେ ଦିନେ ରୋମ୍ ନଗରୀରେ ।
କ୍ରୀଡ଼ାଟିଏ ହେଲା ଅତି ଉଲ୍ଲାସ ମଧ୍ୟରେ ।।
ଅଦ୍ଭୁତ କ୍ରୀଡ଼ା ସେ ଏକ ପଡ଼ିଆ ମଝିରେ ।
ମଣିଷଟେ ଛାଡୁ ଥିଲେ ପଶୁ ସମ୍ମୁଖରେ ।।
ମଣିଷଟି ମାରି ଯେବେ ପଶୁ ଦିଏ ଖାଇ ।
ଦର୍ଶକ ନାଚନ୍ତି ଦେଖି ତାଥେଇ ତାଥେଇ ।।
ପଶୁଖାଦ୍ୟପାଇଁ ଦିନେ ଯାଇ ସୈନ୍ୟଗଣ ।
ହତଭାଗ୍ୟ ଆଣ୍ଡ୍ରୋ ଧରିଆଣିଲେ ତକ୍ଷଣ ।।
ଯୁବକକୁ ଯେବେ ପଡ଼ିଆରେ ଛଡ଼ାଗଲା ।
ଅତୀବ ବିଚିତ୍ର ଗୋଟେ ଘଟଣା ଘଟିଲା ।।
ପଶୁଥିଲା ସେହି ସିଂହ ଜଙ୍ଗଲରେ ଭେଟ ।
ଆଣ୍ଡ୍ରୋକ୍ଲିଶ ଯତନରେ ହୋଇଥିଲା ସୁସ୍ଥ ।।
କୃତଜ୍ଞ ସିଂହଟି ସେହି ଆଣ୍ଡ୍ରୋକୁ ନଖାଇ ।
ପାଦ ତଳେ ପଡ଼ି କାନ୍ଦୁଥିଲା କଇଁ କଇଁ ।।
ଈଶ୍ୱର ସୃଷ୍ଟିରେ ହିଂସ୍ର ହୃଦେ କୃତଜ୍ଞତା ।
ଆଣ୍ଡ୍ରୋକ୍ଲିଶ-ସିଂହ ଗପଟିର ଏହି କଥା ।।
ମାନବୀୟ ଗୁଣ ସିନା ଅଟେ କୃତଜ୍ଞତା ।
ଅକୃତଜ୍ଞ ନର ଲଭେ ସର୍ବଥା ହୀନସ୍ତା ।।