STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମା' ପାର୍ବତୀ

ଜୟ ମା' ପାର୍ବତୀ

2 mins
2

         ଜୟ ମା' ପାର୍ବତୀ
        ===========
ଜୟ ଜୟ ଜୟ ମାଆ ତୁ ପାର୍ବତୀ । ପୂର୍ବଜନ୍ମେ ମାଆ ଥିଲୁ ତୁହି ସତୀ ।।
ଶୁଣିଛି ତୋ କଥା ମୁହିଁ ପୁରାଣରେ । ଜନମିଲୁ ମାଆ, ଦକ୍ଷଙ୍କର ଘରେ ।।
ଦକ୍ଷ ପ୍ରଜାପତି ସେହି ତୋର ପିତା ।
ଶଙ୍କରେ ବରିଲା, ବିବାହି ଦୁହିତା ।। ସୃଷ୍ଟିକଲ୍ୟାଣରେ ପିତା ପୁଣି ତୋର । ଅୟୋଜନ କରି ଏକ ଯଜ୍ଞ ଘୋର ।।
ସର୍ବ ଦେବାଦେବୀ ଆମନ୍ତ୍ରଣ କଲେ ।
ଶିବଙ୍କୁ ଯଜ୍ଞକୁ ସେହି ନ ଡାକିଲେ ।। ପିତୃଯଜ୍ଞେ ଯିବା ଅର୍ଥେ ତେଣୁ ମାତ ।
ଶିବଙ୍କୁ କହିଲୁ ଯୋଡ଼ି ବେନି ହସ୍ତ ।। ନଘେନି, ତୁହି ଲୋ ଶିବଙ୍କ ବାରଣ ।
ଗଲୁ ପିତା ଯଜ୍ଞେ ହେଲା ଅକାରଣ ।।
ଶିବ ଅପମାନ ଦେଖି ନିଜ ଡୋଳେ । ଝାସଦେଲୁ ମାଆ ତୁହି ଯଜ୍ଞାନଳେ ।।
ପ୍ରଚଣ୍ଡ କୋପରେ ଶିବ ଧାଇଁ ଗଲେ ।
ଦକ୍ଷ ପ୍ରଜାପତି ମୁଣ୍ଡ କାଟି ଦେଲେ ।।
ତୋ ଦଗ୍ଧପିଣ୍ଡକୁ ଧରି ଶିବ କୋଳେ । ଉନ୍ମାଦେ ବୁଲିଲେ ଭୁବନ ମଣ୍ଡଳେ ।। କୋପରେ ଡମ୍ବରୁନାଦ କରି ଘୋର । ତାଣ୍ଡବେ ହୋଇଲା ସୃଷ୍ଟି ଥରହର ।।
ପ୍ରଳୟ ହୋଇଲା, ବିଷ୍ଣୁ ଏହା ଜାଣି ।
ଚକ୍ରରେ କାଟିଲେ ପ୍ରଭୁ ଚକ୍ରପାଣି ।।
ତୋ' ପିଣ୍ଡକୁ ମାଆ କରି ଖଣ୍ଡ ଖଣ୍ଡ । ଛେଦନେ ରଖିଲେ ଏ ବିଶ୍ୱବ୍ରହ୍ମାଣ୍ଡ ।।
ପିଣ୍ଡ ପୁଣି ତୋ'ର ଠାଏ ଠାଏ ପଡ଼ି ।
ଶକ୍ତି ପୀଠ ସବୁ ଉଠିଲା ସେ ଗଢ଼ି ।।
ଶିବ ପୁନଃ ବସି ଗଲେ ସମାଧୀରେ । ଜନ୍ମନେଲୁ ମାଆ ହିମାଳୟ ଘରେ ।।
ପର୍ବତ ରାଜଙ୍କ ଯେଣୁ, ମାଆ ପୁତ୍ରୀ ।
ନାମ ମାତ ଏଣୁ ହୋଇଲା ପାର୍ବତୀ ।। କେତେକାଳ ତପେ ତୁହି ମାତା ପୁଣି ।
ଶିବଙ୍କ ପ୍ରେୟସୀ ହୋଇଲୁ ଘରଣୀ ।।
ଜୟ ମାଆ ଅମ୍ୱା କାତ୍ୟାୟନୀ ଉମା । ଶିବାନୀ, ଶଙ୍କରୀ, ଶଙ୍କରଙ୍କ ବାମା ।। କେତେ ରୂପେ ମାତ ନେଲୁ ଅବତାର । ବଧିଲୁ ମାଆଲୋ ଯେତେକ ଅସୁର ।।
ଜୟ ମା' ଭବାନୀ, ଚଣ୍ଡିକା, କାଳିକା । ନୃମୁଣ୍ଡମାଳିନୀ, ଗୋଉରୀ, ଅମ୍ବିକା ।। ଭୟଙ୍କରୀ ମାଆ ଦୈତ୍ୟଙ୍କୁ ସଂହାରୁ ।
ମାଆ ନାରାୟଣୀ, ସଂସାରକୁ ତାରୁ ।।
ବାସ ମାଆ, ତୋ'ର କଇଳାଶ ପୁର ।
ତୋ ପଦେ କରଇ କୋଟିଏ ଜୁହାର ।।
            🙏🙏🙏
                ଅର୍ଜୁନୀ
             -------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya poem from Inspirational