କରୋନା ସଂଘର୍ଷ
କରୋନା ସଂଘର୍ଷ
ଡିସେମ୍ବର ମାସ ଊଣେଇଶୀ ଶହ
ଊଣେଇଶ ମସିହାରେ,
ମହାମାରୀ ରୋଗ ଜନମ ହୋଇଲା
ଜନ୍ମଭୂମି ଚାଇନାରେ |୧|
କୋଭିଡ଼ ଅଣିଶ ନାମରେ ଏ ରୋଗ
ସାରା ପୃଥିବୀ ବିଖ୍ଯାତ,
ନାହିଁ ଇଞ୍ଜେକ୍ସନ ନାହିଁ ତ ଚିକିତ୍ସା
ଭାଇରସ କରେ ଭିତ |୨|
ଦିନୁ ଦିନ ବଢ଼େ କରୋନା ରୋଗ ଯେ
ବିଶ୍ବ ସାରା ଗଲା ମାଡ଼ି,
ଶବ ପଡ଼ିଗଲା ଲକ୍ଷ ଲକ୍ଷ ସଂଖ୍ୟା
ପୋକ ପରି ଗଲେ ଗଡ଼ି |୩|
ଭାରତ ମାଟିରେ ଆସି ପାଦ ଦେଲା
କରୋନା ଯେ ମହାମାରୀ,
ପଡ଼ିଲା ଆତଙ୍କ ଭାଙ୍ଗିଗଲା ଡଙ୍କ
ଅର୍ଥନୀତି ଗଲା ସରି |୪|
ପବନ ବେଗରେ ରୋଗ ବ୍ଯାପିଗଲା
ଆତଙ୍କେ ପଡ଼ିଲା ହୁରି,
ରଖ ମହାବାହୁ କେ ରଖିବ ଆଉ
ତୁମ୍ଭେ ଥାଉ ଗଲୁ ସରି |୫|
କଳ କାରଖାନା ଅଫିସ ସବୁ ଯେ
ବିଦ୍ୟାଳୟ ବନ୍ଦ ହେଲା,
ଜୀବନ ବିକଳେ ସମସ୍ତେ ଧାଇଁଲେ
ଘରେ ପଡ଼ିଗଲା ତାଲା |୬|
ଶହ ଶହ କିମି ପାଦରେ ଚାଲିଲେ
ନ ପାଇଲେ କିଛି ଗାଡ଼ି,
ସାଇକେଲ ହେଲା ଅସଲ ସାଥି ଯେ
ବାଟେ ଗଲା ଜୀବ ଛାଡ଼ି |୭|
କଂଙ୍କ୍ରିଟ ଟାଙ୍କିରେ କିଏ ବି ଆସିଲା
କିଏ ଆସେ ପାଦେ ଚାଲି,
କଅଁଳା ଶିଶୁକୁ ଛାତିରେ ପକାଇ
କିଏ ଚାଲେ ଗାଆଁ ପଲ୍ଲୀ |୮|
ଚାଲିବା କରୁଣ କାହାଣୀ ବର୍ଣ୍ଣିବା
ନୁହଁଇ ସମ୍ଭବ ଭାଷା,
ଅନୁଭବୀ ଜାଣେ ଦୁଃଖର ବୋଝଟା
ବୁଡ଼ି ଯାଉଥାଏ ଆଶା |୯|
ପେଟ ବିକଳରେ ଆଗକୁ ଚାଲିଲେ
ଲକ୍ଷ୍ୟର ପୂରଣ ପାଇଁ ,
ସରକାର କଲେ ତାଙ୍କ ଥଇଥାନ
କ୍ବାରେନଟାଇନେ ନେଇ |୧୦|
