କ୍ରୋଧର ନିଆଁ
କ୍ରୋଧର ନିଆଁ


ପଂଚ ସୂକ୍ଷ୍ମ ମହା ତତ୍ତ୍ଵ ଧାରୀ ଦେହେ
ଗୁଣ ଶଦ୍ଦ ସ୍ପର୍ଶ ବାସ
କେବେ ହସ କାନ୍ଦ କେବେ କ୍ରୋଧାନଳ
କେବେ କରେ ପରିହାସ ।
ପୁଷ୍ପାଗମ ବନେ ଝଡ ଆଗମନେ
ଫଗୁଣର ଯେଉଁ ରୂପ
ସେହି ରୂପେ ଆସେ କ୍ରୋଧର କାଳିମା
ବିସ୍ତାରି କାୟାର ପାପ ।
ପ୍ରଭାତ ପାଲଟେ ବିଭାବରୀ ଦାସ
ଉଜ୍ଜ୍ବଳ ବିମଳ ଛାଡି
ଧୂପର ପଟଳି କୁହୁକରେ ଖେଳି
ସାଧୁ ପ୍ରାଣ ନିଏ ଭିଡ଼ି ।
କ୍ରୁରର ମାନସେ କ୍ରୋଧ ନୃତ୍ୟ କଲେ
ଗୃହ ଅମାବାସ୍ୟା ପରି
ବେଳ ଥାଇ ରବି ଅସ୍ତମିତ ଦୃଶ୍ୟ
ଲୀଳା ମଶାଣିକୁ ଧରି ।
ସ୍ଥାନ କାଳ ଭୁଲି ବାର୍ତ୍ତାଳାପ କରେ
ଯେସନେ କାଳ ଭୁଜଙ୍ଗ
ନିୟତି ଶାସନେ ଚାଲି ଯାଏ ପ୍ରାଣ
ମନସ୍ତାପେ କିବା ଲାଭ ।
କୁପିତ ଜୀବନେ ଅଶାନ୍ତ ମରୁତ
ବହୁ ଥାଏ ଅହର୍ନିଶ
ଲୀଳା ବିଳାସରେ ଲାଳସାର ବହ୍ନି
ଅଜାଣତେ ଆସେ ପଶି ।
କ୍ଷୂଧାର୍ତ୍ତ କାତରେ ଆସେ ଯଦି ପ୍ରାଣୀ
ନବୁଝି ତା ମନ କଥା
ଦାନ ନକରିଣ କ୍ରୋଧେ ଘାତ ଦିଏ
ନସରେ ଲୁହର ଗାଥା ।
ଅନଳ ଦର୍ଶନେ ପତଙ୍ଗ ଝାସନ୍ତି
ଏହା ତ ନିରାଟ ସତ୍ୟ
ଅତି କ୍ରୋଧେ ପ୍ରାଣୀ ଅଧୋଗାମୀ ହୋଇ
ଶୋକରେ ଛାଡେ ଯେ ମର୍ତ୍ତ୍ୟ ।
ରାଜା କୋପ କଲେ ପ୍ରଜା ଯେ ବଇରି
ବ୍ୟାପିବ ଅରାଜକତା
ଅଦୃଶ୍ୟ ଅନଳେ ଛାଏଁ ଭସ୍ମ ହୁଏ
ନରୁହେ ନୃପତି ସତ୍ତା ।
କ୍ଷାନ୍ତ ପରାୟଣା ସ୍ବଭାବ ସୁନ୍ଦର
ମଧୁର ବଚନେ ତୋଷ
କ୍ରୋଧ ପରିହାର୍ଯ୍ୟ କରେ ଯେଉଁ ଜନ
ସ୍ବର୍ଗ ବାସ ଅବଶେଷ ।