Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational Others

3  

Sukadev Mahanta

Abstract Inspirational Others

କ୍ରୋଧ ବିରୁଦ୍ଧରେ ସଂଗ୍ରାମ

କ୍ରୋଧ ବିରୁଦ୍ଧରେ ସଂଗ୍ରାମ

2 mins
156



ଦ୍ବାପର ଯୁଗରେ ହରି     କୃଷ୍ଣ ରୂପେ ଅବତରି

  ପାଣ୍ଡବଙ୍କ ବନ୍ଧୁ ରୂପେ ଉଭା ହୋଇଲେ,

ମଧ୍ୟମ ପାଣ୍ଡବ ଭୀମ    ସଙ୍ଗେ ଧରି ନରହରି

   ଏକ ବିଶେଷ କାମରେ ବାହାରିଗଲେ |


ଏକ ସଙ୍ଗେ ଦୁଇଜଣ   କରି କଥୋପ କଥନ

   ଯାଉଥା'ନ୍ତି ବୃକୋଦର କୃଷ୍ଣ ସହିତ,

କଥୋପକଥନ ବେଳେ   ମଧ୍ୟମ ପାଣ୍ଡବ ଜାଣ

  ଟିକିଏ କଥାରେ ହେଉଥା'ନ୍ତି କ୍ରୋଧିତ|


ଏହାଦେଖି କୃଷ୍ଣଚନ୍ଦ୍ର    ବୁଝାଇ କହିଲେ ତାଙ୍କୁ

   ଷଡରିପୁ ମଧ୍ୟେ କ୍ରୋଧ ଅନିଷ୍ଟକାରୀ,

ହୋଇଗଲେ ଉତ୍ତେଜିତ  କରେ କ୍ରୋଧ ପରାହତ

     ଭୟଙ୍କର କଷ୍ଟଦିଏ ଦୁର୍ବଳ କରି|


ହିତାହିତ ଜ୍ଞାନଶୂନ୍ୟ  କରିଦିଏ କ୍ରୋଧ ଜାଣ

   ଅଜ୍ଞାନରେ କରିବସେ ନାନା କୁକର୍ମ ,

କିଛି ସହିପାରେନାହିଁ    ହିଂସା ମନେ ଉଦ୍ରେକଇ

    ହଂସାତ୍ମକ ଆଚରଣେ କରେ ଅଧର୍ମ |


ବାହୁବଳ ଅହଂକାରେ   ଏ କଥାକୁ ହେୟ ଜ୍ଞାନ

     କରି ଭୀମ ଭାବିନେଲେ ଗୁରୁତ୍ବହୀନ,

ମାର୍ଗରେ ଘୋର ଅରଣ୍ୟ   ମଧ୍ୟେ ହେଲା ସାୟନ୍ତନ

    ବେଳ ହେଲା ବିଶ୍ରାମର କରି ଶୟନ|


ହିଂସ୍ରଜନ୍ତୁ ପରିପୂର୍ଣ୍ଣ        ଅଗନା ଅଗନି ବନ

       ତା'ର ମଧ୍ୟେ ଅନ୍ଧକାର ଭିତ୍ତି ସଂଚରେ,

ଦୁଇଜଣ ଏକ ସଙ୍ଗେ      ଶୋଇଗଲେ ହିଂସ୍ରଜନ୍ତୁ

     ଆକ୍ରମଣ ଡର ଆସେ ମନ ଭିତରେ|


ତେଣୁ ଦୁହେଁ କଲେ ସ୍ଥିର   ନିଦ୍ରାଯିବେ ପାଳିକରି

     ଜଣେ ଶୋଇଲେ ଆରେକ ଜଗିବ ତାଙ୍କୁ,

ଏହାପରେ ଚକ୍ରଧାରୀ     ନିଦ୍ରାଗଲେ ଜାଣ ଭଲେ

      ଗଦାଧରି ବୃକୋଦର ଜଗିଲେ ତାଙ୍କୁ|


କ୍ରୋଧ ହୋଇଲା ପ୍ରକଟ     ନାନା କଥାମାନ କହି

       ଭୀମଙ୍କୁ କ୍ରୋଧିତ କଲା ନାନା ପ୍ରକାରେ,

ତାଙ୍କ କ୍ରୋଧ ଯେତେ ବଢେ  କ୍ରୋଧର ସ୍ବରୂପ ଜାଣ

     ଲାଗିଥାଏ ସେତେ ସେତେ ବଡ ହେବାରେ|


ଭୀମାକୃତିଠାରୁ ବଡ      ହୋଇଗଲା କ୍ରମେ କ୍ରୋଧ

      ସମ୍ମୁଖ ଯୁଦ୍ଧ ନିମନ୍ତେ ଦେଲା ଆହ୍ବାନ,

ଦୁହିଁଙ୍କର ମଲ୍ଲଯୁଦ୍ଧେ      ଭୀମ ହେଲେ ବ୍ୟତିବ୍ୟସ୍ତ

      ଭୟଙ୍କର ଥିଲା କ୍ରୋଧର ଆକ୍ରମଣ|


ପରାଜୟ ଦ୍ବାର ଦେଶେ      ପହଞ୍ଚିଲେ ଭୀମସେନ

       ସୌଭାଗ୍ୟକୁ କୃଷ୍ଣଙ୍କର ନିଦ ଭାଙ୍ଗିଲା,

କୃଷ୍ଣଙ୍କୁ ଉଠିବା ଦେଖି      ନିମିଷକେ କେଉଁଆଡେ

     ସ୍ଥାନଛାଡି କ୍ରୋଧ କେହ୍ନେ ପଳାଇଗଲା|


ଭୀମ ଶୋଇଗଲାପରେ    କ୍ରୋଧ ଆସି ପୁଣି ଥରେ

     କୃଷ୍ଣଙ୍କୁ ରାଗିବାପରି କଥା କହିଲା,

ସେ କଥାକୁ ଲକ୍ଷ୍ମୀପତି   କଲେନାହିଁ କର୍ଣ୍ଣପାତ

     ଉତ୍ତେଜକ କଥା କ୍ରୋଧ କହିଚାଲିଲା|


ଶାନ୍ତ ସ୍ବଭାବରେ କୃଷ୍ଣ    ଦେଇ ଚାଲିଲେ ଉତ୍ତର

     ଶାନ୍ତଭାବେ ଉତ୍ତେଜକ କଥା ସବୁର,

ଶତଚେଷ୍ଟା କଲା କ୍ରୋଧ    ରାଗିଲେନି ଚକ୍ରଧାରୀ

     ସବୁ ପ୍ରୟାସ ବିଫଳହେଲା ତାହାର|


ଅତ୍ୟଧିକ ଚେଷ୍ଟା ସତ୍ତ୍ବେ     କ୍ରୋଧିତ କରି ନପାରି

       କ୍ରୋଧ ହେଲା ଦୁର୍ବଳରୁ ଦୁର୍ବଳତର,

ବଳହୀନ ହୋଇ କ୍ରମେ      କ୍ଷୁଦ୍ରରୁ କ୍ଷୁଦ୍ର ହୋଇଲା

       ସବୁ ଚେଷ୍ଟାତକ ହେଲା ବିଫଳ ତା'ର |


ଶାନ୍ତିବଳେ ବାସୁଦେବ     ପରାହତ କଲେ କ୍ରୋଧେ

       ଅଙ୍ଗୁଳିର ପରି କ୍ଷୁଦ୍ର ହୋଇଲା କ୍ରୋଧ,

ନିଜ ଗାମୁଛାରେ ବାନ୍ଧି    ରଖିଦେଲେ ତାକୁ କୃଷ୍ଣ

      ଶାନ୍ତିବଳେ ହୋଇଲା କ୍ରୋଧ କଣ୍ଠରୋଧ |


କ୍ରମେ ନିଶି ପାହିଗଲା      ପୂରୁବେ ରବି ଉଇଁଲା

       ରବିକରେ ଚତୁର୍ଦ୍ଦିଗ ହସିଉଠିଲା,

ବାସୁଦେବ ବୃକୋଦରେ     ପିଠିରେ ହାତ ଥାପୁଡି

      କହିଲେ ଉଠହେ ଭୀମ ରାତି ପାହିଲା|


ନିଦରୁ ଉଠି କୁନ୍ତୀସୁତ      ଭଣିଲେ ସବୁ ବୃତ୍ତାନ୍ତ

      ସବୁ ଶୁଣି ବାସୁଦେବ କହିଲେ ହସି,

“କହିଥିଲି ବୃକୋଦର        ମନେ ଥିବ ତ ତୁମର

     ଶାନ୍ତି ଦ୍ବାରା କ୍ରୋଧକୁ ଯେ ହୁଅଇ ନାଶି |


ଅହିଂସା ବଳରେ ହିଂସା     ଶାନ୍ତି ବଳରେ କ୍ରୋଧର

       ମୁକାବିଲା କରିହୁଏ ଅତି ସହଜେ,

ରାତିସାରା ଯେଉଁ କ୍ରୋଧ    କରିଥିଲା ବ୍ୟତିବ୍ୟସ୍ତ

     ଗାମୁଛାରେ ବନ୍ଧା ଦେଖ ଖୋଲିଣ ନିଜେ|


ଭୀମ ହେଲେ ଆଚମ୍ବିତ   କାଲି ଯେ ଏତେ ପ୍ରକାଣ୍ଡ

      ଅଙ୍ଗୁଳିର ସମ କ୍ଷୁଦ୍ର ହେଲା କିପରି,

କୃଷ୍ଣ କହିଲେ ବୁଝାଇ        ଶାନ୍ତି ସମ୍ମୁଖେ କ୍ରୋଧର

       ହୋଇଥାଏ ପରାଜୟ ଜାଣ ଏପରି|


କ୍ରୋଧେ କରି ହୁଏନାହିଁ      ମୁକାବିଲା ତ କ୍ରୋଧର

        ଶାନ୍ତିବଳେ ପାରିହୁଏ କ୍ରୋଧକୁ ଜିଣି,

କ୍ରୋଧ ଚଳୁ କରିଦିଏ        ବ୍ୟକ୍ତିର ଶକ୍ତି ସମସ୍ତ

       ଦୁର୍ବଳୁ ଦୁର୍ବଳତର କରଇ ପୁଣି |


ତେଣୁ ସର୍ବେ ଜାଣିରଖ     ମହାଭାରତର ଏହି

       ଶ୍ରୀକୃଷ୍ଣ ମୁଖ ନିଃସୃତ ମହତ ବାଣୀ,

ଅଶାନ୍ତି ବିରୁଦ୍ଧେ ଶାନ୍ତି       ହିଂସା ବିରୁଦ୍ଧେଅହିଂସା

     କ୍ରୋଧ ବିରୋଧରେ ଶାନ୍ତି ପାରଇ ଜିଣି|


ଶୁଣ ସର୍ବେ ମନଦେଇ       ଜିତି କେବେ ହୁଏ ନାହିଁ

        ହିଂସାକୁ ହିଂସାର ଆଚରଣ ଦେଖାଇ,

ଶାନ୍ତି ଅହିଂସା ବଳରେ     ସତ୍ୟ ପଥେ ଲୟଥିଲେ

      ହିଂସାକୁ ଅତି ସହଜେ ଜିଣି ହୁଅଇ|


ଆପଣ ଅହିଂସାକୁ        ତେଜିଣ କାମ କ୍ରୋଧକୁ

       ସତ୍ୟ ଶାନ୍ତି ଭ୍ରାତୃଭାବ ମନରେ ବହି,

ଷଡରିପୁଙ୍କ ଦମନ     କରିହୁଅ ଧୈର୍ଯ୍ୟବାନ

   ହିଂସା ପଥ ପରିହାର କର ହେ ଭାଇ|


Rate this content
Log in

Similar oriya poem from Abstract