କୋଣାର୍କ
କୋଣାର୍କ
ହେ କୋଣାର୍କ !
କ'ଣ ବା କହିବି ତୁମକୁ !
କି ଭାବେ କରିବି ରୂପ ବର୍ଣ୍ଣନା !
ତୁମେ ତ ଉଡ୍ର କାରୁକାର୍ଯ୍ୟର ଅମ୍ଳାନ ଛବି
ଉତ୍କଳ ସ୍ଥାପତ୍ୟର ଦିବାକର ତୁମେ ,
ଏବେ ବି ତ ସ୍ମୃତି-ସାଗରେ ଭାସି ଉଠେ
ତୁମର ସେ ଜୀବନ୍ତ ସ୍ଵରୂପ ,
ପ୍ରାଚୀ ଲଲାଟେ ସବିତା ଦିଶନ୍ତେ ,
ରକ୍ତିମ କିରଣରେ ,
ଚଳଚଞ୍ଚଳ ହୋଇଉଠୁଥିଲ ତୁମେ !
ସାଗର ତୀରେ ଉଭା ଏ ଭବ୍ୟ ମନ୍ଦିର
ଆଉ ମନ୍ଦିରର ଗାର୍ତ୍ତେ ଗାର୍ତ୍ତେ ,
ଫୁଟିଉଠିଛି ଅପୂର୍ବ ଶିଳ୍ପ ଝଙ୍କାର ;
ସତ କୁହ କୋଣାର୍କ
କ'ଣ ନିଜର ଶୋଭା ଦେଖି,
ହୋଇ ନାହଁ ତୁମେ,
ଗର୍ବରେ ଉତ୍ ଫୁଲ୍ଳିତ !!!
ତୁମେ ତ ଦେଖିଛ
ଅନନ୍ୟ ଉତ୍କଳୀୟ ଶିଳ୍ପ ବିଭବ,
ପ୍ରତିଟି ଓଡ଼ିଆ ପ୍ରାଣରେ ପୁଲକ ଭରି ,
ପାଲଟିଛ ଇତିହାସର ମୁକସାକ୍ଷୀ
ଅଙ୍ଗେ ଅଙ୍ଗେ ଅନୁଭବିଛ ,
ଓଡ଼ିଆ ସାଧବ ପୁଅର
ବାଣିଜ୍ୟ - ବିଜୟ ଉନ୍ମାଦ ।।
ଛାତିରେ ହାତ ରଖି
ସତ କୁହ ତ କୋଣାର୍କ !
କ'ଣ ଥରଟିଏ ମଧ୍ୟ
ତୁମେ ବୁଝିପାରିନାହଁ ,
ବାରଶହ ଶିଳ୍ପୀଙ୍କ ବାର ବର୍ଷର
କଠୋର ଯାତନା !
ତୁମ ଭିତରେ ନବ ଜୀବନ ଭରିବାକୁ ଯାଇ
ଦୀର୍ଘ ବାର ବର୍ଷ କାଳ,
ମରି ମରି ବଞ୍ଚିଥିବେ ସେମାନେ !
କ'ଣ କେବେ , ତୁମେ ନିଜକୁ
କରିପାରିବ କ୍ଷମା !
ଶିଳ୍ପର ଉତ୍କର୍ଷତା ରକ୍ଷା କରିବା ଆଳରେ
କେତେ ଯେ ଶିଳ୍ପୀ ସହି ଚାଲିଥିଲେ
ଅକଥନୀୟ ଅତ୍ୟାଚାର !
କୁହ କୋଣାର୍କ !
ତୁମେ କ'ଣ ଦାୟୀ ନୁହଁ
ଧର୍ମପଦର ମାର୍ମିକ ବଳୀଦାନ ପାଇଁ
ଏକ ଅବଶ ପିତାର କରୁଣ କ୍ରନ୍ଦନରେ
କ'ଣ ଥରି ଉଠିନି ତୁମ କାୟା-କଳ୍ପ !!!
ସେଥିପାଇଁ ବୋଧହୁଏ,
ତୁମର ଏ ଭଗ୍ନସ୍ତୁପ
ଆଜି ଶୁଣାଏ କେବଳ ,
ଉତ୍କଳୀୟ କଳା-ଚାତୁରୀ ର
ଗୌରବାନ୍ବିତ ପ୍ରତିଧ୍ଵନି ,
ବାରଶହ ବଢେଇଙ୍କ ବାର ବର୍ଷର
ଅଶ୍ରୁଜଳ ଆଗରେ ,
ମଳିନ ଆଜି ଭାସ୍କରଙ୍କ ଭାସ୍କର୍ଯ୍ୟ,
ଯୁଗ ଯୁଗ ପାଇଁ ଅପୂଜା ହୋଇରହିଛି
ତାଙ୍କର ପ୍ରିୟ ମନ୍ଦିର ,,,
ନା ଅଛି ସେଠି ଦେବତ୍ୱର ଭାବ ,
ଅବା ଭକ୍ତର ଭକ୍ତି ଅର୍ଘ୍ୟ ।।
ଭଗ୍ନ ମୁଖଶାଳା ପ୍ରାଙ୍ଗଣରେ
ଅଧୁନା ପ୍ରତିବିମ୍ବିତ କେବଳ
କଳିଙ୍ଗର କଳା-ଚାତୁରୀ,
ଓଡ଼ିଆ ପୁଅର ଶିଳ୍ପ ଭାସ୍କର୍ଯ୍ୟ ,
ଉଡ୍ର ବୈଭବର ଅମ୍ଳାନ ଅରୁଣିମା ସାଜି,
ଗର୍ବରେ ମୁଣ୍ଡ ଟେକିଛି
କେବଳ ଆଉ କେବଳ,
ଉତ୍କଳ ଶିଳ୍ପ-କୂଳ-ତିଳକ ,
କୋଣାର୍କ,,,