କୋକେଇ
କୋକେଇ


ଏ ମାଟି ଶରୀରୁ ଛାଡ଼ି ଚାଲି ଯିବ
ପ୍ରାଣ ପକ୍ଷୀ ବହୁ ଦୂର
ଏ କଥା ହିଁ ସତ୍ୟ ସଦା ମନେ ରଖ
କପାଳ ଲିଖନ ତୋର ।
ଆସିଥିଲୁ ଚାଲି ଚାଲି ଯିବୁ ଖାଲି
କେହି ନଯିବେ ସଙ୍ଗର
ଏ ଶରୀର ତୋର ମଡ଼ା ବୋଲାଇବ
ତୋ ଠାରୁ ହୋଇବେ ଦୂର ।
ତୋ ଯାନ,ବାହନ ହେବ ସବୁ ଛାର
ରଥ ଛ ଖଣ୍ଡ କାଠର
ପାଳ ଦଉଡିରେ ଭିଡ଼ି ଟେକି ନେବେ
ମଶାଣି ହେବ ତୋ ଘର ।
ତୋ ପଦ, ପଦବୀ ସୁଖ, ସଉଖିନ୍
ଥିଲା ଯେତେ ଆପଣାର
ସୁଦ୍ଧି କର୍ମ କରି ତୋ ପ୍ରେତ ଆତ୍ମାରେ
ପିଣ୍ଡ ବାଢିବେ ନିଜର ।
ସଭିଙ୍କର ଶେଷ ଠିକଣା ଗୋଟିଏ
ମଶାଣି ନାମଟି ତା'ର
ଛଅ ଖଣ୍ଡ କାଠ ତୋ ସଙ୍ଗରେ ଯିବ
ଶେଷେ ହୋଇ ଯିବ କ୍ଷାର ।