STORYMIRROR

Sarita Rani Mohanty

Tragedy Action

3  

Sarita Rani Mohanty

Tragedy Action

କନ୍ୟାଟିଏ

କନ୍ୟାଟିଏ

1 min
12.1K

ବିଧିର ବିଧାନ    ଅଟଇ ବିଚିତ୍ର

  କର୍ମ ଅନୁସାରେ ଫଳ

କନ୍ୟାଟିଏ ଯଦି ଜନମେ କା'କୋଳେ

   ତ୍ୟାଗୁ ଥାଏ ସେ ଚଞ୍ଚଳ    ll


ଭାଇର ଦୁଲାଳୀ ଅତି ଅଲିଅଳି

   ଗୃହ ଲକ୍ଷ୍ମୀ ସେ ଘରର

ମାଆର ସ୍ପନ୍ଦନ ବାପାର ଜୀବନ

   ଗଳା ମାଳି ସାଥିଙ୍କର    ll


ସମୟ ତା' ଆଗେ ଆସି ଛିଡା ହୁଏ

    ଯାଏ ସିଏ ପର ଘର

ଦୁଇ କୁଳ ହୀତା ନାମ ତା' ଦୁହିତା

   ପ୍ରିୟ ସିଏ ସଭିଙ୍କର      ll


ବିଦାୟ ଲଗନ ଯନ୍ତ୍ରଣା ଜୀବନ

   କାନ୍ଦି ଉଠେ ଜନଜୀବ

ଲୁହ ବହୁ ଥାଏ ଓଠ ହସୁ ଥାଏ

    ସୁଖ ଦୁଃଖ ସମଭାବ   ll


ଭାଇର ଭାବନା ପଛକୁ ଫେରଇ

   କିଏ ବାନ୍ଧି ଦେବ ରାକ୍ଷୀ

ତଥାପି ହୃଦୟ କୋହ କୁ ସମ୍ଭାଳେ

   ଈଶ୍ୱରଙ୍କୁ ରଖି ସାକ୍ଷୀ    ll


ଏନ୍ତୁଡିର ନିଆଁ ତା ଜନମ ମାଟି

     କର୍ମ ମାଟି ତା ମଶାଣୀ

ଝିଅର ଜୀବନ ଜନ୍ମ ମୃତ୍ୟୁ ଠାରୁ

   ଥାଏ ଅନେକ କାହାଣୀ  ll


ଯା' ବୁକୁରେ ପାଦ ଦେଇ ଚାଲିଥାଏ

   ପଡ଼ିଥାଏ ଭୁଲିବାକୁ

ଯା' ବୁକୁରେ କ୍ଷୀର ପିଇ ବଞ୍ଚିଥାଏ

    ପର କରେ ସେ ତାହାକୁ  ll


ପର ବୋଲି ଯାହା ମୁଖେ ସଦା ଥାଏ

   ହୁଏ ନିଜଠୁ ନିଜର

ସାତ ଜନମର   ସାଥୀ ଜୀବନର

   ତୋଳେ ସେ ସ୍ୱପ୍ନର ଘର    ll


ସବୁ ସ୍ଵପ୍ନ ତାର ସମ୍ପୂର୍ଣ ନ ହୁଏ

   ଅଧା ଗଢା ରହିଥାଏ

ମନ୍ଦିରଟି ପୁଣି ଖାଲି ପଡ଼ିଥାଏ

   ଦେବତା ଅଦୃଶ୍ୟ ହୁଏ   ll


ଦେବତା ନ ଥିଲେ ଭିଡ ବି ନ ଥାଏ

   ଶୋଭା ବର୍ଦ୍ଧନ ନ ହୁଏ

ବିଶ୍ୱାସ ନିଃଶ୍ୱାସ ଟଳମଳ ହୋଇ

  କର୍ମ ଫଳ ଭୋଗୁଥାଏ    ll


ପଛକୁ ଫେରେନା ଆଗକୁ ବଢ଼େନା

   ହୋଇଥାଏ ନିରୀମାଖି

ଅମଡ଼ା ପଥର ପଥିକ ସାଜି ସେ

   ହୁଏ ସେଇ ଚିର ଦୁଃଖୀ   ll


ଜନ୍ମ ମୃତ୍ୟୁ ଠାରୁ ଦୂରତାକୁ ମାପି

   ସାଜେ ସେ ତୁଠ ପଥର

ମନ ମନ୍ଦିରରେ ପ୍ରଶ୍ନ ଗୁଚ୍ଛ ରଖି

   ହୁଏ ସିଏ ନିରୋତ୍ତର    ll


ମାନ ଅଭିମାନ ପ୍ରତୀକ୍ଷା ସମୀକ୍ଷା

   ଶବ୍ଦରେ ପଡେ ଶିଉଳି

ସ୍ଵପ୍ନ ସୌଦାଗର ଆଫେରା ପଥିକ

   ସବୁ ତା ଥାଏ ମଉଳି    ll


ମାୟା ମରୀଚିକା ନୁହେଁ ସେ ନାୟିକା

   ନାହିଁ ତା ସ୍ଵପ୍ନ ର ନୀଡ଼

ଆଖି ଆଗେ ସବୁ ଦୃଶ୍ୟମାନ ସଦା

   ମହଣ ଦୁଃଖ ପାହାଡ     ll   


ଜୀବନର ସଜ୍ଞା ଖୋଜି ବୁଲେ ପୁଣି

   ସମୟ ତା ହୁଏ ଉତ୍ତର

ଜୀବନ ସଳିତା ଲିଭିବା ଅପେକ୍ଷା

  କାହାଣୀ ଏ ଦୁହିତାର     ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy