STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

କନ୍ୟା ଆଖିରେ ବନ୍ୟା

କନ୍ୟା ଆଖିରେ ବନ୍ୟା

2 mins
218


ଇଶ୍ଵର ତୁମକୁ ସୁପାତ୍ର ଭାବି ମା 

ସୃଷ୍ଟିର ବୀଜ ରୋପିଲେ

ଗୁରୁ ଦାୟିତ୍ଵକୁ ତୁଲାଇବା ପାଇଁ

ତୁମକୁ ଆହ୍ବାନ କଲେ ।


ଭୃଣ ନିରୂପଣେ କନ୍ୟା ଜାଣି ମାଆ

ମୋତେ କାଢ଼ି ଫୋପାଡିଲ

ଭୁଲିଗଲ ପ୍ରଭୁ ନିର୍ଦ୍ଦେଶକୁ ତୁମେ

ମାଆ ହୋଇ ନ ରହିଲ ।


ଗରଭ ସପନ ହଜିଗଲା ମାଆ

ଅଳିଆ ଗଦାର ତଳେ

ଆମନ୍ତ୍ରଣ କରି ବିସର୍ଜନ କଲ

କନ୍ୟା ଭୃଣ ବୋଲି ଭଲେ ।


ଅକୁହା ବେଦନା ଅଶ୍ରୁ ସମାଧୀରେ

ମୋତେ ଯେ ଭସାଇ ଦେଲ

ଏଇ ଦୁନିଆକୁ ଦେଖିବା ଆଗରୁ

ମୋ ଆଖି ଲୁହେ ଭରିଲ ।


କନ୍ୟାର ଆଖିରେ ଲୁହର ବନ୍ୟା ଯେ

ପଚାରେ ତଥାପି ପ୍ରଶ୍ନ

ଆଇନାରେ ଥରେ ନିଜକୁ ଦେଖ ମା

ତୁମେ ବି କନ୍ୟା ସନ୍ତାନ ।


କୁହ ତୁମେ ମାଆ ଦେଖୁନ କି ତୁମେ

କନ୍ୟା ସନ୍ତାନଙ୍କ କୀର୍ତ୍ତି

ପରିବାର ପାଇଁ ରିକ୍ସା ବି ଟାଣନ୍ତି

ଅନ୍ତରୀକ୍ଷେ ବି ଯାଆନ୍ତି ।


ସାହସ ଦମ୍ଭରେ ବାୟୂଯାନକୁ ବି

ଭଡ଼ାଇ ନେଇ ପାରନ୍ତି 

ସୀମାରେ ରହି ଯେ ଶତ୍ରୁ ସଙ୍ଗେ ଲଢ଼ି

ଦେଶ ସୁରକ୍ଷା କରନ୍ତି ।


ତୁମେ କୁହ ମାଆ ଏମିତି କ୍ଷେତ୍ରଟେ

ଯେଉଁଠି ନାରୀଟେ ନାହିଁ

କୁହ ତେବେ ମାଆ କାହିଁକି କନ୍ୟାକୁ

ଏତେ ଛୋଟ ଯେ ଭାବନ୍ତି ।


ପିତାମାତା ଦୁଃଖ ବୁଝଇ ଦୁହିତା

ଭବିଷ୍ୟ ଗଠନ କରେ

ଦାୟୀତ୍ଵ କର୍ତ୍ତବ୍ୟ ପିଠିରେ ବୋହି ଯେ

ସଭିଙ୍କୁ ସୁଖ ପରଶେ ।


କୁହ ତେବେ ମାଆ ନିତି ପ୍ରତି କିମ୍ପା

କେ।ଳେ ମରଇ ସନ୍ତାନ

କନ୍ୟା ସନ୍ତାନକୁ କିମ୍ପା ହିନିମାନ

ସିଏ କେଉଁଥିରେ ନ୍ୟୁନ ।


ପରିସ୍ଥତି କେବେ ଯଦି ଆଗେ ଆସେ

ପିତାକୁ କାନ୍ଧ ନମିଳେ

ତୁମେ ତ ଶୁଣିଛ କନ୍ୟା ସନ୍ତାନ ବି

ପିତାଙ୍କୁ ଶ୍ମଶାନେ ଜାଳେ ।


ଶାସ୍ତ୍ର ବି କହିଛି କନ୍ୟା କରି ପାରେ

ପିତା ମାତା ପାଇଁ ଶ୍ରାଦ୍ଧ

କୁହ ମାତା ମୋତେ ଗୋଟିଏ କାରଣ

ଯା ପାଇଁ କନ୍ୟାର ବଦ୍ଧ ?


ମୋତେ ତୁମେ କୁହ ବିଶାଖା,ଲଳିତା ରାଧା କନ୍ୟା ନ ହୁଅନ୍ତେ

ଯଶୋଦା ମାତାଙ୍କ ରାଜ ଦୁଲାରକୁ

କିଏ ବା ନଚାଉ ଥାନ୍ତେ ?


କୁହ ମାତା ତୁମେ ଅନସୂୟା ଯଦି

କନ୍ୟା ହୋଇ ନ ଜନ୍ମନ୍ତେ

ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ଵରଙ୍କୁ ଯେ

କିଏ ଝୁଲାରେ ଝୁଲାନ୍ତେ ?


ତୁମେ କୁହ ମାତା ସାବିତ୍ରୀ ନଥିଲେ 

ସତ୍ୟବାନ କି ବଞ୍ଚନ୍ତେ

କୁନ୍ତି ନଥିଲେ କି ପଞ୍ଚ ପାଣ୍ଡବ କି

ଏକ ମନେ ବଞ୍ଝି ଥାନ୍ତେ ?


ପ୍ରଶ୍ନର ଉତ୍ତର ଖୋଜୁଛି ଆଜି ମୁଁ

ମନରେ କେତେ ଯେ ସ୍ଵପ୍ନ

ତନୁ ପରସୁଛି ନିଜର ଭାଷା ଯେ

ନିଜ ଭାବନାରେ ମଗ୍ନ ।


କନ୍ୟାର ଆଖିରେ ବନ୍ୟା ଛୁଟୁ ଅଛି

ହୃଦୟେ ଅସରା ବ୍ୟଥା

ଲୁଚି ରହିଅଛି ଅନେକ କାହାଣୀ

କହିବାକୁ ବାନ୍ଧେ ମଥା ।


କନ୍ୟାର ଆଖିର ବନ୍ୟାରେ ନ ଭାସୁ

ଏଇ ସୁନ୍ଦର ଧରିତ୍ରୀ

ସଚେତ ହୋଇଲେ ଥୁଣ୍ଟା ଗଛେ ପରା

କଅଁଳି ଉଠିବ ପତ୍ରୀ ।


କନ୍ୟାର ଆଖିର ବନ୍ୟାରେ ନ ଭାସୁ

ସୃଷ୍ଟି ସୌନ୍ଦର୍ଯ୍ୟ ସମ୍ଭାର

କନ୍ୟା ରତ୍ନ ଦେଉ ଅପୂର୍ବ ଚମକ

ଖୋଲୁ ମନ ମୋକ୍ଷ ଦ୍ଵାର ।


କନ୍ୟା ବର୍ଣ୍ଣ ବିଭା ବିମଣ୍ଡିତ ହେଉ

ମଞ୍ଜୁଳ ହେଉ ଧରା

କନ୍ୟାର ହସରେ ମନ ପୁଲକରେ 

ଯୁଗ ହେଉ ମଧୁ ଝରା ।


କନ୍ୟା ନ ବଞ୍ଚିଲେ ଜଗତ ଶ୍ମଶାନ

ନ ଥିବ ମଞ୍ଜୁଳ ଭାବ

କୁଳ ବଂଚିବ କି କୂଳ ଲଙ୍ଘିବ ହେ

ଏ କଥା ମନରେ ହେଜ ।


କନ୍ୟା ଅଟେ ରତ୍ନ କରିଥାଏ ଯତ୍ନ

ଦୁଇ କୁଳ ହିତ କରେ

ତାହାରି ସ୍ପର୍ଶରେ ସଂସ୍କାରର ସେତୁ 

ନିର୍ମାଣ ହୋଇଯାଏ ।


କନ୍ୟା ସମାଜର ମାର୍ଗ ଦର୍ଶୀ ହୁଏ

ପରିବାରେ ଦିଏ ଦିଶା

ତାକୁ ଅଣଦେଖା କରି ଲେ ଜଗତ

ଜଗତ ଭୋଗିବ ଦଶା।


କନ୍ୟା ଟିଏ ହେଉ ଉତ୍ତମ ନାରୀଟେ

ଆଖିରେ ଥାଉ ପୁଲକ

ହସି ହସାଇ ସେ ଭବିଷ୍ୟତ ଗଢୁ

ଅଶ୍ରୁ ହୋଇଯାଉ ରିକ୍ତ ।


Rate this content
Log in

Similar oriya poem from Tragedy