କଣ୍ଢେଇକି ଜ୍ବର
କଣ୍ଢେଇକି ଜ୍ବର
ଡାକ୍ତର ବାବୁ ଡାକ୍ତର ବାବୁ
ମୋ କଣ୍ଢେଇକି ନିଅ
ହୋଇଛି ତାକୁ ଭୀଷଣ ଜର
ଔଷଧ ବେଗେ ଦିଅ
କାଲିଠାରୁ ସେ ଖାଉନି କିଛି
ଦେହରେ ଅଛି ତାତି
ହାତ କି ଗୋଡ ଚଳୁନି ତା'ର
ଥରୁଛି ପେଟ ଛାତି
ହସୁନି ଟିକେ କହୁଛି ପୁଣି
ଦେବାକୁ ଗୋଡ ମୋଡି
ମନ କରୁଛି ଶୋଇବ ଶେଜେ
ରେଜେଇଟିଏ ଘୋଡି
ବାଉଳି ହୋଇ ବକୁଛି ସେ'ତ
ଶୋଉନି ଥିର ହୋଇ
ତା' ପାଇଁ ପରା ରାତିଟା କାଲି
ପାରିନି ମୁହିଁ ଶୋଇ
ଦେଲେ ମୁଁ ଆଣି ଉଷୁମ କ୍ଷୀର
ପିଉନି ବସି କରି
ଯାହା ବି କିଛି ପାଟିକି ଦେଲେ
ଖାଉନି ସୁନା ପରି
ଔଷଧ ଦିଅ ଡାକ୍ତର ବାବୁ
କରନି ଆଉ ଡେରି
ହସିବ ମୋର କୁନି କଣ୍ଢେଇ
ଘରକୁ ଯିବି ଫେରି
ମୁରୁକି ସିନା ହସିଲେ ସିଏ
ଲାଗିବ ସବୁ ଠିକ୍
ଆଦରେ ତାକୁ ନେଇ କୋଳକୁ
ହସିବି ଫିକ୍ ଫିକ୍