STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

କଣ୍ଢେଇ ନାଚ

କଣ୍ଢେଇ ନାଚ

1 min
398

କେବେ କିଏ ଝିଙ୍କିନିଏ

ଭାବପ୍ରବଣତାର ସୁତାରେ ଛନ୍ଦି

କୋଇଲିର ମୋହ ଦେଖାଇ

ବସନ୍ତର ତତଲା ବଣକୁ,

ଜଳ ମୁନ୍ଦେର ଲୋଭ ଦେଖାଇ

ଅହରହ ତୃଷିତ କଣ୍ଠରେ

ଭିଡ଼ି ନିଅନ୍ତି ଅନେକ ସତ୍ୱରେ

କେଉଁ ଏକ ଅଚିହ୍ନା ମରୁକୁ। 


ସ୍ୱପ୍ନର ସ୍ଵର୍ଣ୍ଣମୂଦ୍ରାର ଶବ୍ଦ

ଶୁଭେ ଯେବେ ଆସକ୍ତ କର୍ଣରେ

ସ୍ୱାର୍ଥର ସୁରିଲା ସ୍ୱର

ଡାକିନିଏ ମଲା ସହରକୁ,

ସମାଜ ବି ଖୁବ ନଚାଏ

ଧାରୁଆ ଚାବୁକ ଦେଖାଇ

ତା କଥାରେ ନିତି ଧାଏଁ

ଇଛାର ଅପର ଦିଗକୁ।


ପ୍ରେମର ସଉଦା ହୁଏ

ବାତ୍ସଲ୍ୟରେ ଶିକୁଳି ପଡ଼େ

ସ୍ବାଧୀନତାର ମନ୍ତ୍ର ଟାଣେ

ଚିହ୍ନା କିନ୍ତୁ ପୋଡ଼ା ଆକାଶକୁ,

ଋତୁ ହୁଏ ବାଟବଣା

ତା ସାଥିରେ ମୁଁ ହୁଏ ଭିଡ଼ା

ପ୍ରାରବ୍ଧ ଅନ୍ଧାରୁ ଆସି

ଠେଲିଦିଏ ଅତଳ ଖାଇକୁ। 


କେବେ ନିୟତି ତା ଦଉଡ଼ିରେ

ଗୁଡ଼ାଇ ତୁଡ଼ାଇ ବାନ୍ଧି

ଖୁବ ପରିହାସ କରେ

ଓ ଘୋଷାଡି ନିଏ କଳା ଭବିଷ୍ୟକୁ,

ଅବସର ଟିକେ ଦେଖି

ହସିବାକୁ ବାହାରେ ମୁଁ ଯେବେ

ଲୁଣ କେହି ଛାଟିଦିଏ

ଅଧା ଶୁଖିଥିବା ପୁରୁଣା କ୍ଷତକୁ। 


କିଛି ଚିହ୍ନା ଓ କିଛି ଅଚିହ୍ନା

କିଛି ମଧୁର ଓ କିଛି ତିକ୍ତ

ଏମିତି ଅନେକ ଚେହେରା

ଅଦେଖାରେ ଲୁଚାଇ ନିଜକୁ,

ଭାବ ରଚି ଲୁଟି ନେଇ ଯା'ନ୍ତି

ବାକିଥିବା ପ୍ରାଣ ଟିକକ

ଓ ମୁଁ ସେମିତି ବସିଥାଏ

ଚାହିଁ ଚାହିଁ ଧୁମିଳ ନଭକୁ। 


କଣ୍ଢେଇଟିଏ ପରି ମୁଁ ନାଚେ

ଏମିତି ଅବିରତ ଆଉ କା ଇଛାରେ

ହାରିଛି ମୁଁ ବହୁବାର

ଜୀବନକୁ ଆୟତ୍ତ କରିବାକୁ,

କିନ୍ତୁ ମୋ ଦେହରେ ବନ୍ଧା ଯେଉଁ

ଅଗଣିତ ଦୀର୍ଘସୂତ୍ର ମାନେ

ନଚାନ୍ତି ଖେଳାନ୍ତି ଯେତେ

ମନଭରି ମଜା ଦେଖିବାକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract