କମ୍ବୁକଟକିଆ ଭଜରେ
କମ୍ବୁକଟକିଆ ଭଜରେ
ଅଠା କାଠିରେ ତୁ ପଡ଼ନା ବେଠିଆ
କମ୍ବୁ କଟକିଆ ଭଜରେ,
ମର୍ତ୍ତ୍ୟ ବୈକୁଣ୍ଠିଆ କୈବଲ୍ୟ ବାଣ୍ଟୁଆ
କଳପ ବଟିଆ ହେଜରେ |
ଭାବରେ ଗଣ୍ଠିଆ ଭାବ ଉକୁଟିଆ
ଭାବରେ ବନ୍ଧା ତା ତାଜରେ
ଷାଠିଏ ପୌଟିଆ କୋଠ ଭୋଗଖିଆ
ପାପୀ ପାବନ ଯା ଧ୍ୱଜରେ |
ଚକା ବଇଠିଆ ଚଉବର୍ଗ ଦିଆ
ନୀଳଗିରି ମତ୍ତ ଗଜରେ
ଯମୁନା ତୁଠିଆ ନାରୀ ଲମ୍ପଟିଆ
ହଟିଆ ରସିକ ରାଜରେ |
ଶମନ ପେଣ୍ଠିଆ ଦେବେରେ ତଣ୍ଟିଆ
ତୁଟିଯିବ ତୋର ଓଜରେ
ତୁଳସୀ କଣ୍ଠିଆ ଚକା ଆଖିଆକୁ
ଜଗା କହେ ବେଳୁ ଭଜରେ |
