କଲମ
କଲମ
କଲମରେ କଲମ ତୁ ଲେଖି ଲେଖି ଯା
ବନ୍ଧୁ ହୋଇ ମୋ ପାଖରେ ସବୁଦିନେ ଥା
ଡରି ନାହୁଁ ଡରିବୁନି ଆସୁ ଯେତେ ବାଧା
ନାହିଁ କେହି ତତେ ଜମା କରିବାକୁ ନିନ୍ଦା
କଲମରେ କଲମ ତୁ ସତ ଲେଖୁଥା
ବନ୍ଧୁ ହୋଇ ମୋ ପାଖରେ ସବୁଦିନେ ଥା ।
ତୋ ମୁନରେ ଲେଖା ପରା ଗୀତା ଭାଗବତ
ନାଟକ ଗଳପ ଏକାଙ୍କିକା ପ୍ରେମ ଗୀତ
କୋଟି ଜନ ମନ ମୋହୁ ମଧୁ ବାରତାରେ
ତୋ ପାଇଁ ବିପ୍ଳବ ହୁଏ ଦୁନିଆ ମଞ୍ଚରେ
ମହାନ ତୋ ଭାବଧାରା
ସବୁଠୁ ଅଟେ ନିଆରା
ନୀରବେ ଶିଖେଇ ଯାଉ କେତେ ନୂଆଁ କଥା ।
କଲମରେ କଲମ ତୁ ସବୁ ଦେଖୁଥା
ବନ୍ଧୁ ହୋଇ ମୋ ପାଖରେ ସବୁଦିନେ ଥା
ସମୟ ସୁଅରେ ବିତିଗଲା କେତେ ଯୁଗ
ବଦଳି ଗଲା ଦୁନିଆ ରୂପ ଭୋଗାଭୋଗ
ହେଲେ ତୁ ଯେମିତି ଥିଲୁ ସେମିତିକା ଅଛୁ
ଇତିହାସ ରୂପେ ସବୁ ସାଉଁଟି ରଖିଛୁ ।
ମନର କଥାକୁ ବୁଝି
ଆଳଙ୍କାରେ ତାକୁ ସାଜି
ହରସେ ତୁ ଝରି ଯାଉ ରଚି ନୂଆଁ ଗାଥା ।
କଲମରେ କଲମ ତୁ ସବୁ ବୁଝୁଥା
ବନ୍ଧୁ ହୋଇ ମୋ ପାଖରେ ସବୁଦିନେ ଥା ।
