କଲମ: ହେବ କି ବଲମ
କଲମ: ହେବ କି ବଲମ
ସ୍ମୃତି କ୍ଷୀଣ ହେତୁ ଶୃତିକି ଲେଖିଲ ଉପନିଷଦଠୁ ଗୀତା
ଅଷ୍ଟାଦଶ ପୁରାଣକୁ ରୂପ ଦେଲ ସମାଜ ପାଇଁ ସଂହିତା ।
ବାଇବେଲ ସାରିୟତ୍ ଗୁରୁ ଗ୍ରନ୍ଥ ସବୁଠି ତୁମରି ନାମ
ଅସୀଠାରୁ ତୁମେ ମହାବଳୀୟାର ସଂସାରର ସାର କଲମ ।
ଲେଖନୀରୁ ପର କଲମ ହୋଇଲ କାଳକ୍ରମେ ଝର କଲମ
ବିନ୍ଦୁ କଲମରୁ କୋମାରେ ପଡିଛ ମୂଷା ଜୟଷ୍ଟିକ ଭରମ ।
ସୃଷ୍ଟା ବାଲମିକ ବେଦବ୍ୟାସ ଗର୍କୀ ଟଲଷ୍ଟୟ ଉଇଲିୟମ ।
କଲମ ଚାଲିଲେ ଦୁଷ୍ଟ ଦୂରାଚାରୀ ଜନଙ୍କର ଭେଦେ ମରମ
ଗଣିତ ବିଜ୍ଞାନ ଇତିହାସ ଲେଖା ଦେଶ ଭ୍ରମଣ କାହାଣୀ
ଗଳ୍ପ ଉପନ୍ୟାସ କାବ୍ୟ କବିତା ପ୍ରବନ୍ଧର ଠାଣିମାଣି
ଲେଖା ଚାଲିଥାଉ ଅବିରତ ବାଣୀ ଭେଦୁ ସମାଜର ମରମ
ସମାଜର ତୁମେ ଦିଗ ବାରେଣୀଟି ସବୁରି ପ୍ରିୟ ଗୋ କଲମ ।
ପରୀକ୍ଷା ସରିଲେ ଗୁରୁଜୀ କରନ୍ତି ମୂଲ୍ୟାୟନ ମୋ ଖାତାର
ନାଲି ଗାର କେତେ ପଡିଯାଏ ବୋଲି ଛାତିରେ ପଡେ ମୋ ଗାର ।
କଳା ନାଲି ଗାର ଥିଲା ବୋଲି ଡର ହେଲି ମୁଁ ଜଣେରେ ଗଣା
କଲମ ତୁମେ ମୋ ଚୀର ନମସ୍ୟ କରିନାହଁ ବାଟବଣା ।
କଲମ ଗାରରେ ଦୁନିଆଁଟା ଚାଲେ ଫାଇଲ୍ ର କାରବାର
କଲମ ଦୟାରୁ କାହା ଘର ବସେ କିଏ ହୁଏ ଛାରଖାର ।
କଲମ ଧାରକ ହୁଅ ନ୍ୟାୟବନ୍ତ ଧରିଛ ଧର୍ମ ନିକିତି
ଉପର ବାଲାର କଲମ ଚାଲିଲେ ତମର କିବା ଶକତି !!
ନୀଳ କଲମରେ ଚିଟାଉ ଲେଖିଲି ଅତର ସିଞ୍ଚିଲି ତହିଁ
କେତେ ଯତନରେ ପ୍ରିୟାକୁ ମୋ ଦେଲି ଉତ୍ତର ସେ ଦେଲା ନାହିଁ।
ପ୍ରିୟା ମୋର କାହା ମନୋହାରୀ ହେଲା କବି ମୁଁ ପାଲଟି ଗଲି
ବିରହ ବେଦନା କବିତାରେ ମୋର ଝରିପଡେ ଲୁହ ଢାଳି ।