କଳ୍ପବଟ
କଳ୍ପବଟ
ସତ୍ୟ ଚିରନ୍ତନ ବୈଦିକ ଚିନ୍ତନେ
ଏ ସଂସାର କଳ୍ପବଟ
ସମ୍ଭବେ ଜୀବନ ରକ୍ଷା ସମନ୍ୱୟେ
ନିଃସର୍ଗେ ରସ ଅମୃତ ।
ସୁକୋମଳ ଶିଶୁ ସଂସାର ବୃକ୍ଷର
ମୁକୁଳ ଉନ୍ମେଷ କଳି
ନବ ପଲ୍ଲବିତ ସବୁଜ ହରିତ
କୈଶୋର ଝୁଲେ ଦେହଳି ।
ଆହରେ ଯୌବନ ରଙ୍ଗ ରୂପ ରସ
ବିଶୁଦ୍ଧ ପୋଷକ ତତ୍ତ୍ୱ
ଅନୁକୂଳ ଶିକ୍ଷା ବୌଦ୍ଧିକ ବିକାଶେ
ହୁଏ ପୃକ୍ତ ପରିପୁଷ୍ଟ ।
ଘର ପରିବାର ସମ୍ବନ୍ଧ ସମ୍ପର୍କ
ଅଟଇ ଶାଖା ପ୍ରଶାଖା
ଧରି ତୋଳିରଖେ ଜୀବନ ସଳଖେ
ଚଳେ ଅନୁବଂଶ ପ୍ରଥା ।
ପ୍ରବୃଦ୍ଧ ବୟସ୍କ ସ୍ଥିର ଅବିଚଳ
ମୂଳଗଣ୍ଡି ମୂଳଭିତ୍ତି
ରହିଲେ ସୁଦୃଢ ସଞ୍ଜିବୀତ ବୃକ୍ଷ
ହୁଏ ଆଲୋକାନୁବର୍ତ୍ତୀ ।
ସବୁଜ ସୁନ୍ଦର ହେଉ ଏ ସମାଜ
ଫଳଛାୟା ସମନ୍ଵିତ
ଜୀବନ ବିକାଶେ ବୃକ୍ଷ କଳ୍ପବଟ
ସୃଜୁ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।
