ନାରୀ
ନାରୀ


ମୁଁ ହେଉଛି ନାରୀ,
ଆଜି ମୁଁ ଅବହେଳିତ,
ହଜି ଯାଇଛି ନିଜ ଭିତରେ,
ଖୋଜିଲେବି ମିଳୁନି ଠିକଣା ମୋର,
ତଥାପି ମୁଁ ଭଲପାଇ ଚାଲିଛି ଏଇ ସ୍ବାର୍ଥପର ମଣିଷକୁ,
ଯେ ଦେଇନି କେବେ ସମ୍ମାନ,ସଂସ୍କାର ଆଉ ମର୍ଯ୍ୟାଦା ।
ମୁଁ ପରା ନାରୀ,
ମୁଁ ସେଇ ସ୍ନେହର ପ୍ରତୀକ,
ମୋ ପଣତ ଆଜି ରକ୍ତରେ ରଙ୍ଗୀନ୍,
ତଥାପି ମୁଁ ଖୁସି,
ତଥାପି ମୁଁ ଖୁସି ।
ମୁଁ ସେଇ ନାରୀ,
କେତେବେଳେ ମା,ପତ୍ନୀ ଆଉ ଭଗିନୀ,
ଏ ଦୁନିଆଁ ହଜାର ନାଁର ଭେଟି ଦେଇଛି ମୋତେ,
କିନ୍ତୁ ନାଁ ଅଛି ଆ
ନ୍ତରିକତା ନାଁ ଅଛି ଭଲପାଇବା,
କେବଳ କର୍ତ୍ତବ୍ୟକୁ ବାଛିନେଇଛି ମୁଁ ନାରୀ ।
କେଉଁଠି ଶୋଷଣ ହେଉଛି,
କେଉଁଠି ଜିଅନ୍ତା ଜଳୁଛି,
କେଉଁଠି ରାତ୍ରିର ଅନ୍ଧାରକୁ ଆଲୋକିତ କରୁଛି,
ଆଉ କେଉଁଠି ଅଧିକାରର ଲଢେଇ କରୁଛି,
ଏଇ ନାରୀ ।
ନାରୀ ପାଇଁ ଏଠି ମହାଭାରତ,
ନାରୀ ପାଇଁ ଏଠି ପଶାଖେଳ,
ନାରୀ ସହ ଏଠି ଦୁନିଆଁ ଚର୍ଚ୍ଚା,
ତଥାପି ସେ ଚୁପ୍,
ସାଜିଛି ରକ୍ତମାଂସର ଜୀବନ୍ତ ପିତୁଳା ।
ସବୁ ଦେଖୁଛି, ସବୁ ଶୁଣୁଛି, ନିଜ ନ୍ୟାୟ ପାଇଁ ନିଜେ ଲଢୁଛି।
କେବଳ ସେଇ ଗୋଟାଏ ଶବ୍ଦ " ନାରୀ " ।