ଜହ୍ନରେ ଦେ ଶୀତଳତା
ଜହ୍ନରେ ଦେ ଶୀତଳତା


ଜହ୍ନରେ ଭରିଦେ ଏ ତପ୍ତ ପରାଣେ
ଚେନାଏ ତୁ ଶୀତଳତା,
ଅନୁଭବ ସିନା କରିବି ତେବେ ମୁଁ
ତୋ ହୃଦୟ ବିଶାଳତା ।
ପୃଥିବୀ ଠାରୁ ତୁ ଥାଇ ବହୁଦୂରେ
ପକ୍ଷେ ବଢୁ, ପକ୍ଷେ ଛିଡୁ,
କାହା ବିଚ୍ଛେଦର ମୁକସାକ୍ଷୀ ତୁହି
କାହା ସମ୍ପର୍କକୁ ଯୋଡୁ ।
ତୋ କିରଣ ପାଇ ହସି ଉଠେ କଇଁ
କୁନି ଶିଶୁ କୋଳେ ଧରି,
'ଆ..ଆ ଜହ୍ନମାମୁଁ ଶରଦଶଶୀରେ'
ମାଆ ଡାକେ ହାତ ଠାରି ।
ଶୁଭ୍ର ପୁଷ୍ପ ଯେତେ ନିଶିରେ ଫୁଟନ୍ତି
ତୋହରି କିରଣ ଶୋଷି,
ତଥାପି କଇଁକୁ କେଜାଣି କାହିଁକି
ଭଲ ପାଉ ତୁହି ବେଶୀ ।
ବୁଝିଛୁ ତୁ ମନ ଦିଆନିଆ କଥା
ମୋ ହୃଦୟ ନେଇ ଜଣେ,
ବାରବାର ପରା ଭରସାଟି ଦେଇ
ଠକି ଚାଲିଗଲା କେଣେ ।
ଏବେ ମୁଁ ଜଳୁଛି ବିରହ ଜୁଇରେ
ସେ ପ୍ରେମକୁ ଝୁରିଝୁରି,
ପୁଳାଏ ଶୀତଳ ଜୋଛନା ଢାଳିଦେ
ଯାତନା ଯା' ଯାଉ ସରି ।