କଳଙ୍କିନୀ
କଳଙ୍କିନୀ
ମଥା ର ସିନ୍ଦୂର ହୋଇ ପାରି ବନି
କହି ଥିଲି ହେବ ଓଠ ର ହସ
ଭାଙ୍ଗି ଦେଇ ମୋର ମନ ଆଇନା କୁ
ଭରି ଦେଲ ମୋର ମନ ରେ ବିଷ
ହୀରା ନୀଳା ମୋତି ମାଗି ମୁଁ ନଥିଲି
ମାଗି ଥିଲି ଦେବ ମୁଠେ ସପନ
ବାଲି ଘର ଟିଏ ତୋଳି ଦେଲ ନାହିଁ
ଉଜାଡିଲ ମୋର ସାରା ଜୀବନ
ପାଦ ର ଅଳତା ହୋଇ ପାରିବନି
ଭାବି ଥିଲି ହେବ ଦେହ ର ଛାଇ
କଳଙ୍କ ଜୁଇ ରେ ଜାଳି ଦେଲ ମୋତେ
ଆଖି ରୁ ଝରୁଛି ରୁଧିର ନଈ
ସୁନା ର ଭବନ ଲୋଡ଼ି ମୁଁ ନଥିଲି
ହୃଦୟ ତୁମର ହେବ ମୋ ବାସ
ବଇଶାଖୀ ସାଜି ମନ ଉପବନେ
ପ୍ରୀତି କୁସୁମ କୁ କଲ ବିନାଶ
ସ୍ବପ୍ନ ବିନା ମୁଁ ଯେ କେମିତି ବଞ୍ଚିଛି
ଦେଖି ଯାଅ ଥରେ ଆସି ପାଖରୁ
ଭଗ୍ନ କୋଣାର୍କ ର ଗର୍ଭଗୃହେ ବସି
ସ୍ମୃତି ଝରାଉଛି ନେତ୍ର କନ୍ଦରୁ
କଳା ବାଦଲ ର ବାହୁ ବନ୍ଧନ ରେ
ଆବୃତ୍ତ ଆଜି ମୋ ସ୍ଥିତ ଅସ୍ତିତ୍ୱ
ପ୍ରତାରଣା ତୁମ ସଜାଇ ଦେଇଛି
ମୋତେ ଲୋକହସା କଳଙ୍କିତ
ନିଜ ଠାରୁ ବେଶୀ ନିଜର କରିବ
ଦେଇ ଥିଲ କଥା ଛୁଇଁ ମଥାକୁ
ଆଖି ଓଦା କରି ସପନ ହଜାଇ
ଛାଡି ଚାଲି ଗଲ ତୁମେ ଦୁରକୁ
କଳଙ୍କିନୀ ସାଜି ଜୀଉଁଛି ଜୀଵନ
ଅମାବାସ୍ୟା ଘନ ଅନ୍ଧାରେ ରହି
ହଜିଛି ପ୍ରେମ ର ସାତ ସୁର ଆଜି
ବେସୁରା ରାଗିଣୀ ଗାଉଛି ମୁହିଁ