କଳାମାଣିକଚାହାଁଣିରେ କରେ କୁହୁକ
କଳାମାଣିକଚାହାଁଣିରେ କରେ କୁହୁକ
କଳାମାଣିକ ସେ କଳାମାଣିକ
ବାଙ୍କ ଚାହାଁଣିରେ କରେ କୁହୁକ,
ମହାନାୟକ ସେ ମହାନାୟକ
ବଜାଏ ବଇଁଶୀ ନାଚେ ମୂଲକ ଯେ,
ଛନ୍ଦେ ଛନ୍ଦି ସାରା ଜଗତ
ତା' ପରି ଭାବୁକ ତା' ପରି ରସିକ
ସଂସାରରେ ନାହିଁ ନାହିଁ ତ।
ଯଶୋଦାର ପ୍ରାଣ ନନ୍ଦ ନନ୍ଦନ
ତା'ର ଇଙ୍ଗିତେ ଚାଲେ ତ୍ରିଭୁବନ,
ରଙ୍ଗେ ରଙ୍ଗାଏ ହସରେ ହସାଏ
ଭବ ସାଗରେ ତରଙ୍ଗ ଖେଳାଏ ସେ,
ଭାବ ବିନୋଦିଆ କାହ୍ନେଇ
ଅଭାବେ ସଂକଟ ଭାବକୁ ନିକଟ
କରୁଥାଏ ଚକ୍ର ବୁଲାଇ।
ଦେବକୀ ଗର୍ଭରୁ ହୋଇ ସେ ଜାତ
ଗୋପେ ହେଲା ନନ୍ଦ ଯଶୋଦା ସୁତ,
ପୁତୁନାକୁ ନାଶି କଲା ଛଟକ
ବକା ସକଟାକୁ ମାରି ନାୟକ ସେ,
ସର ଲବଣୀ ଚୋରୀ କରି
ସଖା ସହ ମେଳି କଲା କେତେ କେଳି
ରଖିଲା ମଥୁରା କଂସ ମାରି।
ଗୋଧନ ଜଗି ଗୋବର୍ଦ୍ଧନ ଟେକି
ଇନ୍ଦ୍ରେ ପରାଜିତ କଲା ଏକାକୀ,
ଭାଇ ବଳରାମ ସାଥୀରେ ଖେଳି
ପବିତ୍ର କଲା ବ୍ରଜ ମାଟି ଧୂଳି ସେ,
ରାଧାରାଣୀ ସାଥେ ଭାବ ଯେ
କଦମ୍ଵର ମୂଳେ ଯମୁନାର କୂଳେ
ପ୍ରେମ କଲା ସେ ଅଭିନବ ।
ଯୁବା କାଳେ ହୋଇ ଦ୍ବାରିକା ରାଜ
ଯଦୁ ବଂଶ ସ୍ଥାପି କଲା ମଉଜ,
ହୋଇ ପାଣ୍ଡବଙ୍କ ବାନ୍ଧବ ସଖା
ବିପଦେ ଆପଦେ ଦେଲା ସୁରକ୍ଷା ସେ,
କୁରୁସଭା ସ୍ଥଳେ ବିପନ୍ନ
ଦ୍ରୌପଦୀର ମାନ କୋଟି ବସ୍ତ୍ର ଦାନ
କରି ରଖିଲା ସମ୍ମାନ ଯେ।
ଅର୍ଜୁନ ରଥରେ ହୋଇ ସାରଥୀ
ଗୀତା ଜ୍ଞାନ ଦାନେ କଲା ସାମର୍ଥୀ
କୁରୁକ୍ଷେତ୍ର ଯୁଦ୍ଧେ ଅସ୍ତ୍ର ନ ଧରି
ଦୁର୍ଯ୍ୟୋଧନର ଗର୍ବ ନାଶ କରି ସେ,
ଧର୍ମ ରଖିଲା ମହୀତଳେ
ଦୁଷ୍ଟଙ୍କୁ ସଂହାରି ସନ୍ଥଙ୍କୁ ଉଦ୍ଧାରି
ରଖଇ ସେ କାଳେ କାଳେ ଯେ।
ଶରଣ ରକ୍ଷକ କଳାମାଣିକ
ନାହିଁ ତ କେହି ତାର ବ୍ୟତିରେକ,
ତାହାର କୁହୁକ ଏ ଜଗତ ଯାକ
ତାର ଗୁଣେ ସର୍ବେ ମୁଗ୍ଧ ତ୍ରିଲୋକ ଯେ,
ଆଦି ଅନାଦିର କାରଣ
ସେ ପ୍ରାଣୀର ପ୍ରାଣ ଭବେ ଆର୍ତ୍ତତ୍ରାଣ
ଦୁଃଖ କରଇ ନିବାରଣ।