କଳା କଳିଯୁଗ କାରନାମା
କଳା କଳିଯୁଗ କାରନାମା
ଶୁଣ ଶ୍ରୋତାବନ୍ଧୁ ଯା ହୁଏ ସଂସାରେ
ଖୋଲା ରଖି ଦୁଇ କର୍ଣ୍ଣ
କବିତା ମାଧ୍ୟମେ ବର୍ଣ୍ଣନା କରୁଛି
କଳିଯୁଗ ଉପାଖ୍ୟାନ ।
ସ୍ୱାର୍ଥେ ଅନ୍ଧ ଆଜି ପ୍ରତିଟି ମଣିଷ
ମଣିଷ ପଣିଆଁ ନାହିଁ
କୁକର୍ମ କରୁଛି କ୍ଷଣେ ସୁଖ ପାଇଁ
ହିତାହିତ ଭୁଲି ଯାଇ ।
ଗୋମାତାର ସେବା ପାଶୋରି ମନରୁ
ଶ୍ଵାନ ସେବା ଠାରେ ଧ୍ୟାନ
ଦେବା ଠାରୁ ନେବା ଅଧିକ ପସନ୍ଦ
ହେଉପଛେ ହୀନିମାନ ।
ବାପା ହତାଦର ଶ୍ଵଶୁର ଈଶ୍ଵର
ଭାଇ ଶଳାଠାରୁ ହୀନ
ମାଆର ପଣତ ବିଷ ପ୍ରାୟ ଲାଗେ
ଶାଶୁକୁ ମାଆ ଆସନ ।
ସଂସାର କହିଲେ ଘରଣୀ ସନ୍ତାନ
ଆଉ କା'ରେ ନାହିଁ ସ୍ଥାନ
ଠାକୁର ପୂଜନ୍ତି ଲୋକ ଦେଖାଣିଆଁ
ପୂଜାରେ ନଥାଏ ମନ ।
ପୂଜକ କରଇ ମନ୍ତ୍ର ଉଚ୍ଚାରଣ
ପିଇ ପେଟେ ନାଲି ପାଣି
ଶୂନ୍ୟ ବୋତଲକୁ ରଖଇ ଯତନେ
ଆସ୍ଥାନର ତଳେ ପୁଣି ।
ଏ ଯୁଗର ନାରୀ ଛାଡି ଲାଜ ଲଜ୍ଜା
ଦେଢଶୁରେ କରେ ଥଟ୍ଟା
ପତିକୁ ଭାବଇ ଘରର ଚାକର
କରୁଥାଏ ହଟହଟା ।
ସମାଜର ସ୍ଥିତି କେତେ ସୁରକ୍ଷିତ
ଲେଖିବାକୁ ନାହିଁ ଭାଷା
ଶାଶୁ କରୁଥାଏ ଗୁରୁବାର ଓଷା
ବୋହୁ ତୁଣ୍ଡେ ମାଂସ କଷା।
ପର ପୁରୁଷରେ ରସୁଥାଏ ମନ
ମୁଣ୍ଡରେ ନାହିଁ ଓଢ଼ଣା
ବୁଲି ବୁଲି ଖାଇ ନକରେ ରୋଷେଇ
ଭୁଲେ ସଂସ୍କାର ସଣ୍ଠଣା ।
ମଦ୍ୟପାନ କରି ପରନାରୀ ହରି
ଦେଖାଅ ପୁରୁଷପଣ
ମାଆ ଭଉଣୀଙ୍କ ଇଜ୍ଜତ ଲୁଟୁଛ
ଆହେ ନପୁଂସକ ଗଣ ।
ଏବେ ବି ସମୟ ହାତୁ ଯାଇନାହିଁ
ସୁଧୁରି ଯାଅ ସମସ୍ତେ
ଆଚାର ବେଭାର ବଦଳାଇ ନିଅ
ଛେଦ ନାହିଁ ଜିହ୍ୱା ହସ୍ତେ ।
