STORYMIRROR

ବି. ନିରୁପମା

Comedy Action Inspirational

4  

ବି. ନିରୁପମା

Comedy Action Inspirational

କଜିଆ କରନା ଆଉ

କଜିଆ କରନା ଆଉ

1 min
321

ସୁନା କୁଲେଇ କି ରୁପା କୁଲେଇ,

ଗନ୍ଧିଆ ଦେଲା ମୋ ମନ ଭୁଲେଇ

ନହେଲେ ଏ ଦାସ ପୁଅ

ଏତେ କଥା ମୋତେ ଶୁଣେଇ କହନ୍ତା

ମୁଁ କାଳେ ଭିକାରି ଝିଅ ।


ପେଟରେ ନୁହେଁ କି ପଛରେ ନୁହେଁ,

ଯାହା କହିବାର କହଇ ମୁହେଁ

ବାପା ମୋର ଜମିଦାର

ଖଣ୍ଡମଣ୍ଡଳରେ ନାଆଁ ପରା ଅଛି

ସେଇ ଗଉଁତିଆ ଘର ।


ଘିଅ, ମହୁ ଆଉ ଦୁଧ, ଦହିରେ,

ଭାସୁଥିଲୁ ଆମେ ଖାଇ ରହିରେ

ବିରି, ମୁଗ, ଧାନ ଯାହା

ବର୍ଷକ ଫସଲ ତିନିବର୍ଷ ଖାଉ

ଦେଉ ବି ମାଗେ ଯେ ତାହା ।


ସୁନା ଝରା, ହାର ଛୁଆରୁ ନାଇ,

ବଢୁଥିଲୁ ଆମେ ସୁଖଟି ପାଇ

କି ବେଳେ ଗନ୍ଧିଆ ଗଲା

ଚୁଡ଼ି ବିକୁ ବିକୁ ଏଇ ଦାସ ପୁଅ

ରୂପ ଗୁଣ ବଖାଣିଲା ।


ପତର ଦେଲାବା ଅତର ଦେଇ,

ଗଲି ମୁଁ ସେଥିରେ ଭୋଳ ତ ହୋଇ

ଉତ୍ତର ତା' ଲେଖୁ ଲେଖୁ

ବରଷେ ବିତିଲା, ଭୁଲେଇ ଆଣିଲା

ଯାତରା ପା' ଦେଖୁ ଦେଖୁ ।


ଲୁଣ ଥିଲେ ଏଠି ମରିଚ ନାହିଁ,

ଆଡ଼ଜଷ୍ଟ କରି ଚଳୁଛି ମୁହିଁ

ଶାଢି, ଚୁଡ଼ି, ଅଳଙ୍କାର

କରୁ କରୁ ପରା ନିଅଣ୍ଟ ହେଉଛି

ଯାହା ୟାଙ୍କ ରୋଜଗାର ।


ସ୍ନୋ, ପାଉଡର ଲଗାଏ ବୋଲି,

କହୁଛି 'ଖରଚ କରୁଚୁ ଖାଲି

ମାଳ ଲୋ ସୁଧୁରି ଯାଆ

କାହିଁକିବା ହୀନିମାନରେ ଚଳିବି

ଶିଖାଇନି ମୋର ମାଆ ।


ସୁକାନ୍ତ କହିଲା, "ଦେଖାଉ ଛଇ,

ମୁହଁ ବଳିଲାଣି ବସିକି ଖାଇ

ପଳେଇବି କଲିକତା

ଏଇଠି ଥାଇକି ବଖାଣୁ ଥିବୁ ଲୋ

ତମ ବଡ଼ ଘର କଥା ।


ଆସିଲା ଦିନଠୁ ପେଖେନା କାଢୁ,

ତୋ ଗୁଣ ଯା' ସବୁ କହିଲେ ସଢୁ

ଚୋରେଇ ଥିଲୁ କା' ନୋଳି

ମଜୁରି ଆଣିଲେ ଭାତ ଗଣ୍ଡେ ଖାଅ

କଳିହୁଡ଼ି ରାହାବାଳୀ ।


ଭଲଦଶା ଥିଲେ ତୁନିନି ରହ,

କଜିଆ କରନା ଆଉ ମୋ ସହ

ସୁଖ ଦୁଃଖ ବାଣ୍ଟିନେବା

ମନ ଫାଟିଗଲେ ସଂସାରଟା ପିତା

ସାର ଲୋକହସା ହେବା ।"


ଘଡ଼ିଏ ଉତ୍ତାରୁ ମାଳତୀ ଆସି,

କହିଲା ସୁକାନ୍ତ ପାଖରେ ବସି

"ମାନିବି ତୁମରି କଥା

ମୋ ବାପ ଘର ବଡ଼ିମା ବଖାଣି

ବିଗାଡ଼ିବି ନାହିଁ ମଥା ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy