କିଶୋରାବସ୍ଥା
କିଶୋରାବସ୍ଥା


କିଶୋର କିଶୋରୀ ସମ୍ଭାବନା ଛବି
ଭବିତବ୍ୟ କ୍ରାନ୍ତିକାରୀ ,
ଅଶେଷ ବିଭବ କର ସମର୍ପଣ
ପ୍ରେମ ସୁଧାନିଧି ବାରି ॥
ଦେଶ ମାତୃକାର ଉଜ୍ଜଳ ନକ୍ଷତ୍ର
ଚିନ୍ତାକଳ୍ପ ମହାଜ୍ୟୋତି ,
ସୁସ୍ଥ ପରିବେଶ କର ସଂଗଠିତ
ବଢିବ ସମ୍ମାନ ଖ୍ଯାତି ॥
ଯୌବନା ସମ୍ପଦା କିଶୋରୀ ବୀଭବା
ଚପଳ କୋମଳ ମତି ,
ଶିକ୍ଷା ଆରୋହଣ ହେଉ ତବ ବ୍ରତ
ଅରଜିବ ଯଶକୀର୍ତ୍ତି ॥
ଚପଳ ବୟସେ ଚାଲ ହେ'ସୁପଥେ
କିଶୋର କିଶୋରୀ ମଣି ,
ଆଶା ଆକାଂକ୍ଷାରେ ପିତୃମାତୃ ବାରେ
ମନ କଥା ବୁଝ ଜାଣି ॥
ଆଦ୍ୟ ଯୌବନକୁ ସମ୍ମାନ ଦେବାକୁ
କରହେ' ସଂକଳ୍ପ ସର୍ବେ ,
ଯୌବନ ସମ୍ପଦ ପ୍ରଭୁ କୃତ ଦାନ
ଅଲୋଡା ନହେଉ ଭବେ ॥
ସୁନାପାତ୍ର ଦେଖି ପରଖିବ ଛବି
ବିଚାର ବିମର୍ଷ କରି ,
ସମାଜ ସ୍ଵିକୃତି ଆଖି ଆଗେ ରଖି
ପ୍ରେମକୁ ନେବ ଆବୋରି ॥
ଆଦ୍ୟ ଯୌବନର ସପନ ବିଶେଷ
ନିୟନ୍ତ୍ରଣାଧୀନ ନୁହେଁ ,
ଉଚ୍ଛୁଳା ଯୌବନ କରେ ଅଣାୟତ
ଶରୀର ବିଶେଷ ମୋହେ ॥
ଏକାଗ୍ରତା ଭାବ କରହେ ପୋଷଣ
ଯୌବନର ସୁନାପକ୍ଷୀ ,
ସଠିକ ସମୟେ ଉଡିବ ଆକାଶେ
ମନ ମୋହି ନବ ସଖୀ ॥
ପ୍ରେମେ ସଂଯମତା ମନରେ ସଦିଚ୍ଛା
ବିଦ୍ୟା ବୁଦ୍ଧି ସର୍ବୋତ୍ତମ ,
ଦେଶର ଗୌରବ କିଶୋର କିଶୋରୀ
ହେଜ ଯୌବନର ମର୍ମ ॥