କିଏ ଜାଣିଥିଲା
କିଏ ଜାଣିଥିଲା
କିଛି ପୃଷ୍ଠା ଲେଖିଥିଲି ତୁମପାଇଁ
ପଢି ଶୁଣାଇବି ବୋଲି,
କିଏ ଜାଣିଥିଲା ପଢ଼ିବା ଆଗରୁ
ଏମିତି ଚିରିବ ବୋଲି !
ଫୁଲଗଛଟିଏ ଲଗାଇଥିଲି ମୁଁ
ଫୁଲଟେ ଫୁଟିବ ବୋଲି,
କିଏ ଜାଣିଥିଲା ଫୁଟିବା ଆଗରୁ
ଗଛ ମରିଯିବ ବୋଲି !
ବାଲିଘରଟିଏ ତୋଳି ବସିଥିଲି
ତୁମେ ଖୁସିହେବ ବୋଲି,
କିଏ ଜାଣିଥିଲା ସହସା ଝଡ଼ରେ
ମାଟିରେ ମିଶିବ ବୋଲି !
ସପନର ମୋତି ସାଉଁଟିଥିଲି ମୁଁ
ଉପହାର ଦେବି ବୋଲି,
କିଏ ଜାଣିଥିଲା ପିନ୍ଧିବା ଆଗରୁ
ସେ ହାର ଛିଡ଼ିବ ବୋଲି !
ଅସରା ପ୍ରେମର ସାଗର କୂଳରେ
ତୁମକୁ ମୁଁ ପାଇଥିଲି,
କିଏ ଜାଣିଥିଲା ଛୁଇଁବା ଆଗରୁ
ତୁମେ ହଜିଯିବ ବୋଲି !
