କିଏ ଏଠି
କିଏ ଏଠି


କିଏ ଏଠି ପଢେ ପାଠ
କିଏ ଏଠି କାଟେ କାଠ
କିଏ ଏଠି ଚଷେ ମାଟି
କିଏ ପୁଣି ଖାଏ ଖଟି ।
କିଏ ଏଠି ଲାଗେ ମୁଲ
କିଏ ଏଠି ମାରେ ତେଲ
କିଏ ଏଠି କାଗଜକୁ
କଲମରେ କରେ ପୁଣି ଗେଲ ।
କିଏ ଏଠି କରେ ବେଠି
କିଏ ପୁଣି ଖାଏ ଲୁଟି
ବଞ୍ଚିବାକୁ ନାନା ଫନ୍ଦି ଫିକର ଏଠି
ଧନ ସମ୍ପଦ ପାଇଁ ଚାଲେ ପିଟାପିଟି
କ୍ଷମତା ଲଢେଇ ପରା
ଅହରହ ଚାଲେ ଏଠି ।
କିଏ ଏଠି ପୁଞ୍ଜିପତି
କିଏ କରେ ଭିକ୍ଷା ବୃତ୍ତି
ଆଶା ନିରାଶା ରେ
ସର୍ବହରା ଘରେ ନ ଜଳଇ ବତୀ
ଥିଲା ନ ଥିଲା ବାଲାଙ୍କ ମଧ୍ୟେ
ଚାଲେ ଶ୍ରେଣୀ ସଂଘର୍ଷ ନିତି ନିତି ।
କି ବୁଝେ ଗଣତନ୍ତ୍ର
କି ବୁଝେ ସାମ୍ୟବାଦ
ଆମ ଏ ନିରୀହ ପରଜା ଏଠି
ନିରକ୍ଷର ଦରିଦ୍ର ଜନ
ଯା ପାଶେ ନାହିଁ ଧନ
ସେ କି ବୁଝିବ ଶାସନ ବ୍ୟବସ୍ଥାଟି
କିଏ ବୁଝୁଛି ଶାସନ ତନ୍ତ୍ର ଏଠି ।
କିଏ ଏଠି ବୁଝୁଛି
ଜନତାଙ୍କ ଦୁଃଖ
କିଏ ଏଠି ଚିନ୍ତୁଛି
ଜନତା ବାପୁଡାଙ୍କ ପେଟର ଭୋକ
କିଏ ଏଠି ପୋଛୁଛି
ଜନତା ଆଖିର ଲୋତକ ।
ଗରିବ ହୁଏ ଅଧିକ ଗରିବ
ଧନୀ ଅରଜେ ସୁଖ ଓ ବୈଭବ
ମାଗଣା ସ୍ଲୋଗାନର
ଚାଲେ ପ୍ରତିଯୋଗିତା
ବଦଳେନି ଆମ ଜନତାଙ୍କ
ସାମାଜିକ, ରାଜନୈତିକ
ଅବା ଆର୍ଥିକ ଅବସ୍ଥା ।
ବୁଦ୍ଧିଜୀବି ନୀରବଦ୍ରଷ୍ଟା ଏଠି
କବି, ଲେଖକ ମୁକ ଓ ବଧିର
ଚତୁର୍ଥ ସ୍ତମ୍ଭ ବନ୍ଧକ ପଡିଛି
ହସୁଛନ୍ତି ଆମ ଜନତାଙ୍କ ସରକାର
ଛାତ୍ର ବେକାର ଯୁବକ ବେକାର
ଶ୍ରମିକ କୃଷକଙ୍କ ଘରେ
ପଡେ ହା ହା କାର
କିଏ ଏଠି କାହା ଦୁଃଖ
ଶୁଣୁଛି ନା ବୁଝୁଛି
କିଏ ଏଠି ଅଛି ଦେଶ ଭକ୍ତ
କିଏ ଏଠି ସେବିବ ଦେଶ ମାତୃକାର।