କିଛିଟା ସପନ ଆକାଶ କଇଁଆ
କିଛିଟା ସପନ ଆକାଶ କଇଁଆ
ମେଞ୍ଚା ମେଞ୍ଚା ସ୍ବପ୍ନ ମାଳ ମାଳ ତୃଷ୍ଣା
ଗୁଣ୍ଠ ଗୁଣ୍ଠ ଅଭିଳାଷ ।
ଫର୍ଦ୍ଦ ଫର୍ଦ୍ଦ ଆଶା ପାର୍ଥିବ ଭିତ୍ତିରେ
ଦେଉଅଛ ଜୀବନ୍ୟାସ ।
ଜୀବନ ଚାହେଁ ନି ଜୀବନ ଖୋଜେନି
ଅହେତୁକ ବରଦାନ ।
ମିଛ ସପନରେ ନିଜକୁ ହଜେଇ
ହୁଅ ବରଂ ଅସମ୍ମାନ !
ଶୀର୍ଷକ ବିହୀନ ସମ୍ମାନ ଆଶାରେ
ଆଶାତୀତ ଅସମ୍ମାନ ।
ଅହେତୁକ ଭାବେ ଅନ୍ଧ ସର୍ବନାଶ
ଅଯଥାରେ ଡାକି ଆଣ ।
ସ୍ବପ୍ନ କେବେ କେବେ ଆସି ହଜିଯାଏ
କେବେ ପୁଣି ଚୋରି ହୁଏ ।
ଗୋପନେ ଗୋପନେ ସତ୍ୟ ହେଉ ହେଉ
ଅର୍ଦ୍ଧସତ୍ୟ ହୋଇ ରୁହେ ।
ଚୋରି କରି ତୁମେ ଚରିତାର୍ଥ ହେବ
ପର ସପନକୁ ନେଇ ।
କେମିତି ଭାବୁଛ ପର ସପନରେ
ସୌଦାଗର ହେବାପାଇଁ ?
ସପନ କି କେବେ କିଣା ହୋଇଥାଏ
ସୌଦାଗରୀ ମନ ନେଇ ।
କେବେ ମିଠା କେବେ ଖଟା ରୂପ ନେଇ
ଉଙ୍କି ମାରେ ଦ୍ରୁମ ହୋଇ ।
କିଛିଟା ସପନ ଆକାଶ କଇଁଆ
କିଛିଟା ଚିଲିକା ମାଛ,
ସାମର୍ଥ୍ୟ ବାହାର ସ୍ବପ୍ନ ଦେଖୁ ଦେଖୁ
ସାଜେ ହଳାହଳ ବିଷ ।
ଏମିତି ସପନ ଦେଖୁଛ କାହିଁକି
ସାକାର ରୂପ ଯା' ନାହିଁ,
ମର୍ତ୍ତ୍ୟର ମାନବ ସ୍ଵର୍ଗୀୟ ବିଭବ
ସପନେ ହେଉଛ ବାଇ !
ମିଛ ସପନକୁ ସାଉଁଟି ସାଉଁଟି
ପର ସପନକୁ ଲୁଟି ।
କୁହ ଏ ମର୍ତ୍ତ୍ୟରେ ପାର୍ଥିବ ଭିତ୍ତିରେ
ହୋଇଛି କେ' କୋଟିପତି !
ନିଜ ସ୍ୱାଭିମାନ ଦୁର୍ଲଭ ସପନ
ଯାଅ ସେ ସପନେ ମାତି ।
ତାହା ହିଁ ତୁମରି ଆତ୍ମାଭିମାନର
ସ୍ୱୟଂ ପ୍ରସାର ଭାରତୀ !