କିଛି ଉପଦେଶ
କିଛି ଉପଦେଶ
ପିତା ମାତା ପରା ଜଗତରେ ଶ୍ରେଷ୍ଠ
ସନ୍ତାନ ଲଭି କରୁଣା,
ଦୁନିଆ ଦାଣ୍ଡରେ ପିଲା ପରିଚିତ
ଏହିତ ଅଟଇ ଜଣା ।
ଦେଇ ଥିଲେ ପାଇ ଏହି ନ୍ଯାୟ ସୂତ୍ରେ
ପାଆନ୍ତି ସର୍ବେ ପାଉଣା,
ଯେମିତି କର୍ମକୁ ସେମିତିକା ଫଳ
ପ୍ରଭୁଙ୍କର ନିର୍ଦେଶନା ।
ଉଚ୍ଚ ସ୍ବରେ କଥା ମାଆଙ୍କ ସହିତ
କେବେ ବି କହିବ ନାହିଁ,
ସେ ପରା ନିଜର ଅଟନ୍ତି ଜନନୀ
କଥା ଶିଖାଇଲେ କହି ।
ବାପା ଓ ମାଆଙ୍କୁ କରିବନି ଭାଗ
ନୁହଁନ୍ତି କେବେ ସମ୍ପତ୍ତି,
ସେ ପରା ଅଟନ୍ତି ଚଳନ୍ତି ଠାକୁର
ସେ ତୁମଙ୍କୁ ଗଢିଛନ୍ତି ।
କଥାରେ କଥାରେ ନିଜର ଭାଗ୍ୟକୁ
ଯିଏ କରୁଥାଏ ନିନ୍ଦା,
କର୍ମକୁ ଦୂରେଇ ଅନ୍ୟର ଉପରେ
ନିର୍ଭର କରିବା ଧନ୍ଦା ।
ଅଳସୁଆ ମୂର୍ଖ ପ୍ରମାଣିତ ହୁଏ
ସଦା ପାଉଥାଏ ନିନ୍ଦା,
ସେହି ଲୋକ ଠାରୁ ଦୂରେଇ ରହିବ
ମିଳି ନକରିବ ଧନ୍ଦା ।
ଆବଶ୍ୟକ ଠାରୁ ଅଧିକ ମାତ୍ରାରେ
କରେ ଶୟନ ଭକ୍ଷଣ,
ଅରଜିଲା ଅର୍ଥ ଅକୁଳାଣ ହୁଏ
ଏତ ଦରୀଦ୍ର ଲକ୍ଷଣ ।
ଅଳସୁଆ ପଣ ପରିତ୍ୟାଗ କରି
କର୍ମଠ ହୁଏ ଯେ ଜନ,
ଜୀବନରେ ସେହି ସବୁଠାରୁ ସୁଖୀ
ବିଭୁ ପଦେ ଥାଏ ମନ ।
ନିଜର ମନଟା ଅଳିଆ ପାତ୍ରଟେ
ସଦା ତାକୁ ସଫା ରଖ,
ନିଜେ ନିଜ କର୍ମ କରି ଚାଲୁଥାଅ
ନିଜର ଆନନ୍ଦ ଦେଖ ।
