କିଛି ଶେଷ କଥା
କିଛି ଶେଷ କଥା
ଡହଡହ ଏଠି ଜୀବନ ଯନ୍ତ୍ରଣା
ବଞ୍ଚିବାର ଆଶା କ୍ଷୀଣ
ମାଳ ମାଳ ଶ୍ୱେନ କରନ୍ତି ଉଡ୍ଡାଣ
କପୋତଟି ଶକ୍ତିହୀନ |
ଦଇବର ଦାଉ ବଢ଼େ ଦାଉ ଦାଉ
ଛାର ନର ହଇରାଣ
ପଲେ ଚିତା ବାଘ ପଛରେ ଧାବିତ
ମୃଗ କି ପାଇବ ପ୍ରାଣ |
କେହି କାହାକଥା ବୁଝେନାହିଁ ସର୍ବେ
ସ୍ୱାର୍ଥମଦେ ଆଗୁସାର
ହୃଦୟର ପାଠ ଏଠି କେ ପଢ଼ିଵ
କେହି ନୁହେଁ ଆପଣାର |
ଶାଗୁଣା ବିଲୁଆ ଚିକିତ୍ସକ ଯହିଁ
ଶବ କି ପାଇବ ତ୍ରାଣ
ପ୍ରଚାର ପ୍ରସାର ଅନ୍ତଃସାର ଶୂନ୍ୟ
ପ୍ରତିଶ୍ରୁତି ଧୂଆଁବାଣ |
ଖରା ତାପୁ ରକ୍ଷା ନିମିତ୍ତ ପଥିକ
ତାଳ ଛାଇ ଆଦରିଲା
ତାଳ ପଡ଼ି ତାର ଜୀବନଟି ଯିବ
ଏକଥା କି ଭାବିଥିଲା |
ବଳିଆ କବଳୁ ଜୀବନ ବଞ୍ଚାଇ
ଶଶା ପଶେ ଯେଉଁ ଗର୍ତ୍ତେ
<p>ସେ ଗର୍ତ୍ତେ ବିଲୁଆ ଆଗରୁ ରହିଛି
ବଞ୍ଚିବ ଅବା କେମନ୍ତେ |
ବିଷମୟ ଆଜି ଏ ସାରା ସଂସାର
ଛଳନା ଶଠତା ମିଥ୍ୟା
ଅନ୍ଧ ଅହମିକା କରୁଛି ରାଜୁତି
ସତ୍ୟ ନ୍ୟାୟ ଉପେକ୍ଷିତା |
ପରଶ୍ରୀକାତର ପରହିଂସାତୁର
ପରାପବାଦ ନିରତ
ଭୀରୁତା ଆଳସ୍ୟ ହୀନ ପ୍ରବଞ୍ଚକ
ପର ନାରୀ ଲୋଭାସକ୍ତ |
ମୂରୁଖ କରୁଛି ମୂଲ୍ୟାଙ୍କନ ଏଥି
ପଣ୍ଡିତ ଯେ ପରୀକ୍ଷାର୍ଥୀ
ନିର୍ବେଦ ବୋଲାଏ ସଭାପତି ଏଥି
ବିଦ୍ୱାନର ଥରେ ଛାତି |
କୃତ୍ରିମ ଗ୍ରହଣ ଅସଲି ବର୍ଜନ
ବିପରୀତ ଚିନ୍ତାଧାରା
ରକତ ହେଲାଣି ସାତପର ଏଠି
ଗୃହ ଲାଗିଲାଣି କାରା |
ଭେଜାଲ ଭେଜାଲ ସବୁତ ଭେଜାଲ
ଦୁନିଆ ଭେଜାଲ ଭାଇ
ମିଛ ପାଶେ ସତ ବନ୍ଧା ପଡ଼ିଲାଣି
ଧର୍ମ ଡାକେ ତ୍ରାହି ତ୍ରାହି |