କିଛି ଲୁଚାଇବିନି
କିଛି ଲୁଚାଇବିନି
ଆଜି କିଛି କହିବାକୁ ଇଚ୍ଛା ଜାତ
ଯାହା ପାରିଲିନି କହି
ସେଇ ଲୁଚି ରହିଥିବା ଗୁପ୍ତ ତଥ୍ୟ
କେବଳ ତୁମରି ପାଇଁ
କିଛି ଲୁଚି ହୋଇ ଅଛି ଆଢ଼ୁଆଳେ
କହି ହୋଇ ନାହିଁ ଯାହା
କହିବାକୁ ହୃଦୟର ଆବେଗତା
ମନରେ ଜାଗିଛି ସ୍ପୃହା
ପୁରୁଣା ପ୍ରେମର ମଧୁର ଯନ୍ତ୍ରଣା
ଆଜିକାଲି ଉଜ୍ଜୀବିତ
ସବୁ ଖୋଲା ଖୋଲି ଯଦିଓ କହିଛି
କିଛି ରହିଗଲା ଗୁପ୍ତ ।।
ମନେ ମନେ ଭାବୁଥିଲି ତୁମ କଥା
ଜାଣିଥିଲେ ସାଙ୍ଗ ସାଥୀ
ମୁଁହ ଖୋଲି ସାଙ୍ଗ ସାଥିଙ୍କୁ କହିଲି
ତୁମେ ମୋ ଜୀବନ ସାଥି
ଖରାପ ଭାବନା ଜାଗ୍ରତ ଭୟରେ
କହି ପାରିଲିନି ଘରେ
ଆମ ଘର ଲୋକ ଅବଶ୍ୟ ଜାଣିଲେ
ସମ୍ପର୍କ ତୁଟିଲା ପରେ ।।
ସମାଜ ଓ ପରିବାର ପ୍ରତି ଭୟ
ଆମ ସଂପର୍କ ରେ ବାଧା
ସେଇ ବାଧା ସୃଷ୍ଟି ହେଲା ପରେ ପରେ
ହୃଦେ ଜାତ ଦ୍ଵନ୍ଦ ଦ୍ୱିଧା
ଜୀବନର ଗତିପଥ ବଦଳାଇ
ସହ୍ୟ କରୁଛି ଯନ୍ତ୍ରଣା
ସବୁକିଛି ପ୍ରାପ୍ତ ହୋଇ ଜୀବନରେ
ତୁମ ପାଇଁ ଆନମନା ।।
ପରିଣତି ବୟସରେ ତୁମ କଥା
ମନେ ଜାଗି ଜଗାଉଛି
କିଛି ଭାବନା ଜଡ଼ିତ ରଖି ହୃଦେ
ସମୟ ବିତି ଯାଉଛି
ବ୍ୟର୍ଥ ପ୍ରେମିକର ନୀରବ ଯନ୍ତ୍ରଣା
କେତେ କୋହ ସହ ଲୁହ
ଅକୁହା କଥା କୁ ଖୋଲି କହୁଅଛି
ହଟି ଯାଉ ସେ ସଂଶୟ
ହୃଦୟର ଆବେଗତା ଆଢ଼ୁଆଳେ
ରହିଛି ତୁମର ସ୍ମୃତି
ସେଇ ସ୍ମୃତି ସହ ବଞ୍ଚିଛି ଜୀବନ
ଏହି ବାର୍ତ୍ତା ତୁମ ପ୍ରତି ।।

