କି ଯୁଗ ହେଲା, ସବୁ ତ ବଦଳି ଗଲା
କି ଯୁଗ ହେଲା, ସବୁ ତ ବଦଳି ଗଲା
ଆଜିର ମଣିଷ ବିଜ୍ଞାନର ବଶ
ତା' ସାଥିରେ ନିତି କରଇ ଖେଳ,
ପ୍ରତି ମୁହୂର୍ତ୍ତରେ ଜୀବନ ଧାରଣ
ତା' ବିନା ଯେମିତି ଲାଗେ ଅଚଳ ।
ଜୋତାଠାରୁ ଛତା ପ୍ରତି ଜିନିଷରେ
ଦିଶଇ ବିଜ୍ଞାନ କଳା କୌଶଳ,
କମ୍ ସମୟରେ ବେଶି କାମ କରି
କେତେକ ରହନ୍ତି କର୍ମ ଚଞ୍ଚଳ ।
କେତେକ ସାଜନ୍ତି ଅଳସୁଆ ଆଜି
କେବଳ ବିଜ୍ଞାନ କରାମତିରେ
ଅଭାବ ଦୈହିକ ପରିଶ୍ରମ ହେତୁ
ରୋଗକୁ ଠିଆ କରନ୍ତି ପାଖରେ ।
ଜୀବନକୁ ନିତି ତଉଲ କରନ୍ତି
ହେବା ପାଇଁ ଜଣେ ସୁବିଧାବାଦୀ,
ବିନା ପରାଶ୍ରମେ ନିଜର ଖାଦ୍ୟ ବି
ଯାଆନ୍ତା କି ନିଜ ପାଟିକୁ ଭେଦି !
ଅତୀତ କାଳରେ ଭାଇଚାରା ରୋପି
ପରସ୍ପର ଦିଆନିଆ ସୂତ୍ରରେ,
ନିଜର ଅଭାବ ଆନଠୁ ମେଣ୍ଟାଇ
ଚଳି ଯାଉଥିଲେ ହରଷ ଭରେ ।
ଆଜିର ମଣିଷ ଏସବୁଠୁ ଦୂର
ନିଜ ହାତେ ନିଜେ ଚଉଦ ପାଆ,
କାହିଁକି ଖୋଜିବ ଅନ୍ୟଠୁ ସାହାଯ୍ୟ
ଅବା ସିଏ କାହାକୁ ଦେବ କିଆଁ ।
ନିଜ ସ୍ବାର୍ଥ ଛଡ଼ା ସମୂହ ସ୍ବାର୍ଥକୁ
ଦେଖିବା କେବେଠୁ ଭୁଲି ଗଲାଣି,
ଆପେ ବଞ୍ଚିଥିଲେ ବାପା ନାଆଁ ପରା
ଆଜିର ମଣିଷ ହୁଏ ବଖାଣି ।
ଖାଇବାକୁ ଘରେ ଥାଉ ବା ନଥାଉ
ସ୍ମାର୍ଟଫୋନ ଯନ୍ତ୍ର ହାତରେ ଧରି,
ବାଇକି ଚଢ଼ି କେ ବୁଲେ ଘିରିଘିରି
ନିଜର ବଡ଼ପଣକୁ ଆବୋରି ।
ସୁଖ ସ୍ବଚ୍ଛନ୍ଦକୁ କୋଳ କରିବାକୁ
ନିଜ ସ୍ତ୍ରୀ ପିଲା ଭାବି ନିଜର
ବାପା ମାଆଙ୍କୁ ବି କରିଥାନ୍ତି ପର
ବୃଦ୍ଧାଶ୍ରମେ ଛୁଟେ ଲୁହର ଧାର ।
ମଥାପରେ ନାନା ରଙ୍ଗର ଟିକିଲି
ସିନ୍ଦୂରକୁ ଭୁଲି ଗଲାଣି ନାରୀ
ବଶୀଭୂତ କରେ ପାଶ୍ଚାତ୍ୟ ସଭ୍ୟତା
ଛୋଟ ପୋଷାକରେ ଭାବେ ସୁନ୍ଦରୀ ।
ଚୁଡ଼ା ମୁଢ଼ି ସାଥେ ନଡ଼ିଆକୋରାର
ଜଳଖିଆ ଆଉ କା' ଘରେ ନାହିଁ
କେତେ ଖୁସି ହୋନ୍ତି ନିଜ ମନେ ମନେ
ଫେସନ ଖାନାରେ ଭୋକ ମେଣ୍ଟାଇ ।
ପୁଅ ଝିଅ ଆଜି ହେଲେ ବାଟବଣା
ଜାତି ଧରମ ବି ଗଲା ଉଜୁଡ଼ି
ମୁଖେ ତୁଣ୍ଡି ଦେଇ ବାପାମାଆମାନେ
ବାଧ୍ୟେ ଧରନ୍ତି ପିଲାଙ୍କୁ ଜାବୋଡ଼ି ।
ବଳଦର ଆତ୍ମକାହାଣୀ ଲେଖୁନି
ଶିଶୁଟିଏ ଆଜି ବିଦ୍ୟାଳୟରେ
କଳଲଙ୍ଗଳରେ ଚାଷକାର୍ଯ୍ୟ ଯେଣୁ
ସମ୍ପନ୍ନ ହୁଏ ଅତି ସୁବିଧାରେ ।
ଲାଞ୍ଚୁଆ ଖଚୁଆ ଉପଦ୍ରବ ଏଠି
ଦିନୁଦିନ କେତେ ବଢ଼ି ଗଲାଣି
ନିରିମଳ ଭାବମୂରତି ଦେଖାଇ
କେବଳ ଆନକୁ ନିଅନ୍ତି ଟାଣି ।
ଗର୍ବ ଅହଙ୍କାର ଈର୍ଷା ଦ୍ବେଷ ହିଂସା
ପରଶ୍ରୀକାତର ସ୍ବଭାବ ଧରି,
ଆଜିର ମଣିଷ ଚାଲୁଅଛି ବାଟ
ଏ "କଳି" ପ୍ରଭାବ ମୁଖେ ଉଚ୍ଚାରି ।
ମଧୁ ବରଷଇ ମଧୁର ସମ୍ପର୍କୁ
ଏ କଥାକୁ ଯଦି ଦିଅନ୍ତେ ଧ୍ୟାନ
ସେ ମଧୁକୁ ପାନେ ଅମୃତମୟ
ହୁଅନ୍ତା ନାହିଁ କି ପ୍ରତି ଜୀବନ ?
ପ୍ରତେକର ମନ ଯଦି ବଦଳନ୍ତା
ବୁଝନ୍ତେ କେହି ବି ନୁହନ୍ତି ଭିନ୍ନ,
ସୃଷ୍ଟିରେ ସକଳ ଜୀବର ଦେହରେ
ବିରାଜି'ଛନ୍ତି ଏକ ଭଗବାନ ।
ତେବେ ସର୍ବେ ମିଶି କୋଳାକୋଳି ହୋଇ
ସୁଖେ ଜୀବନ ବିତାଇ ପାରନ୍ତେ,
ଲିଭିଯାନ୍ତା ମନୁ ଦୁଃଖ ଅବଶୋଷ
ହରଷେ କାଳାତିପାତ କରନ୍ତେ ।
କହନ୍ତେ ସରବେ ଆଜିର ମଣିଷ
କେବେ କେହି ନୁହଁନ୍ତି ସ୍ବାର୍ଥପର,
ବାଟବଣା ଥିଲେ ଏବେ ବାଟେ'ଛନ୍ତି
ପରସ୍ପର ଭାବ ଅତି ନିଜର ।
ମାତ୍ର ଏବେ ସର୍ବେ ବୋଲନ୍ତି କେବଳ
କି ଯୁଗ ଆସିକି ପହଞ୍ଚି ଗଲା
ମାନବିକ ଗୁଣ ସହିତ ଚଳଣି
ସବୁ ତ ବଦଳିବାରେ ଲାଗିଲା ।
