STORYMIRROR

Binodini Dash

Inspirational

4  

Binodini Dash

Inspirational

କି ଯୁଗ ହେଲା, ସବୁ ତ ବଦଳି ଗଲା

କି ଯୁଗ ହେଲା, ସବୁ ତ ବଦଳି ଗଲା

2 mins
8


ଆଜିର ମଣିଷ ବିଜ୍ଞାନର ବଶ

ତା' ସାଥିରେ ନିତି କରଇ ଖେଳ,

ପ୍ରତି ମୁହୂର୍ତ୍ତରେ ଜୀବନ ଧାରଣ

ତା' ବିନା ଯେମିତି ଲାଗେ ଅଚଳ ।

ଜୋତାଠାରୁ ଛତା ପ୍ରତି ଜିନିଷରେ

ଦିଶଇ ବିଜ୍ଞାନ କଳା କୌଶଳ,

କମ୍ ସମୟରେ ବେଶି କାମ କରି

କେତେକ ରହନ୍ତି କର୍ମ ଚଞ୍ଚଳ ।

କେତେକ ସାଜନ୍ତି ଅଳସୁଆ ଆଜି

କେବଳ ବିଜ୍ଞାନ କରାମତିରେ

ଅଭାବ ଦୈହିକ ପରିଶ୍ରମ ହେତୁ

ରୋଗକୁ ଠିଆ କରନ୍ତି ପାଖରେ ।

ଜୀବନକୁ ନିତି ତଉଲ କରନ୍ତି

ହେବା ପାଇଁ ଜଣେ ସୁବିଧାବାଦୀ,

ବିନା ପରାଶ୍ରମେ ନିଜର ଖାଦ୍ୟ ବି

ଯାଆନ୍ତା କି ନିଜ ପାଟିକୁ ଭେଦି !

ଅତୀତ କାଳରେ ଭାଇଚାରା ରୋପି

ପରସ୍ପର ଦିଆନିଆ ସୂତ୍ରରେ,

ନିଜର ଅଭାବ ଆନଠୁ ମେଣ୍ଟାଇ

ଚଳି ଯାଉଥିଲେ ହରଷ ଭରେ ।

ଆଜିର ମଣିଷ ଏସବୁଠୁ ଦୂର

ନିଜ ହାତେ ନିଜେ ଚଉଦ ପାଆ,

କାହିଁକି ଖୋଜିବ ଅନ୍ୟଠୁ ସାହାଯ୍ୟ

ଅବା ସିଏ କାହାକୁ ଦେବ କିଆଁ ।

ନିଜ ସ୍ବାର୍ଥ ଛଡ଼ା ସମୂହ ସ୍ବାର୍ଥକୁ

ଦେଖିବା କେବେଠୁ ଭୁଲି ଗଲାଣି,

ଆପେ ବଞ୍ଚିଥିଲେ ବାପା ନାଆଁ ପରା

ଆଜିର ମଣିଷ ହୁଏ ବଖାଣି ।

ଖାଇବାକୁ ଘରେ ଥାଉ ବା ନଥାଉ

ସ୍ମାର୍ଟଫୋନ ଯନ୍ତ୍ର ହାତରେ ଧରି,

ବାଇକି ଚଢ଼ି କେ ବୁଲେ ଘିରିଘିରି 

ନିଜର ବଡ଼ପଣକୁ ଆବୋରି ।

ସୁଖ ସ୍ବଚ୍ଛନ୍ଦକୁ କୋଳ କରିବାକୁ

ନିଜ ସ୍ତ୍ରୀ ପିଲା ଭାବି ନିଜର

ବାପା ମାଆଙ୍କୁ ବି କରିଥାନ୍ତି ପର

ବୃଦ୍ଧାଶ୍ରମେ ଛୁଟେ ଲୁହର ଧାର । 

ମଥାପରେ ନାନା ରଙ୍ଗର ଟିକିଲି

ସିନ୍ଦୂରକୁ ଭୁଲି ଗଲାଣି ନାରୀ

ବଶୀଭୂତ କରେ ପାଶ୍ଚାତ୍ୟ ସଭ୍ୟତା

ଛୋଟ ପୋଷାକରେ ଭାବେ ସୁନ୍ଦରୀ ।

ଚୁଡ଼ା ମୁଢ଼ି ସାଥେ ନଡ଼ିଆକୋରାର

ଜଳଖିଆ ଆଉ କା' ଘରେ ନାହିଁ

କେତେ ଖୁସି ହୋନ୍ତି ନିଜ ମନେ ମନେ

ଫେସନ ଖାନାରେ ଭୋକ ମେଣ୍ଟାଇ ।

ପୁଅ ଝିଅ ଆଜି ହେଲେ ବାଟବଣା

ଜାତି ଧରମ ବି ଗଲା ଉଜୁଡ଼ି

ମୁଖେ ତୁଣ୍ଡି ଦେଇ ବାପାମାଆମାନେ

ବାଧ୍ୟେ ଧରନ୍ତି ପିଲାଙ୍କୁ ଜାବୋଡ଼ି ।

ବଳଦର ଆତ୍ମକାହାଣୀ ଲେଖୁନି

ଶିଶୁଟିଏ ଆଜି ବିଦ୍ୟାଳୟରେ

କଳଲଙ୍ଗଳରେ ଚାଷକାର୍ଯ୍ୟ ଯେଣୁ

ସମ୍ପନ୍ନ ହୁଏ ଅତି ସୁବିଧାରେ ।

ଲାଞ୍ଚୁଆ ଖଚୁଆ ଉପଦ୍ରବ ଏଠି

ଦିନୁଦିନ କେତେ ବଢ଼ି ଗଲାଣି

ନିରିମଳ ଭାବମୂରତି ଦେଖାଇ

କେବଳ ଆନକୁ ନିଅନ୍ତି ଟାଣି ।

ଗର୍ବ ଅହଙ୍କାର ଈର୍ଷା ଦ୍ବେଷ ହିଂସା

ପରଶ୍ରୀକାତର ସ୍ବଭାବ ଧରି,

ଆଜିର ମଣିଷ ଚାଲୁଅଛି ବାଟ

ଏ "କଳି" ପ୍ରଭାବ ମୁଖେ ଉଚ୍ଚାରି ।

ମଧୁ ବରଷଇ ମଧୁର ସମ୍ପର୍କୁ

ଏ କଥାକୁ ଯଦି ଦିଅନ୍ତେ ଧ୍ୟାନ

ସେ ମଧୁକୁ ପାନେ ଅମୃତମୟ

ହୁଅନ୍ତା ନାହିଁ କି ପ୍ରତି ଜୀବନ ?

ପ୍ରତେକର ମନ ଯଦି ବଦଳନ୍ତା

ବୁଝନ୍ତେ କେହି ବି ନୁହନ୍ତି ଭିନ୍ନ,

ସୃଷ୍ଟିରେ ସକଳ ଜୀବର ଦେହରେ

ବିରାଜି'ଛନ୍ତି ଏକ ଭଗବାନ ।

ତେବେ ସର୍ବେ ମିଶି କୋଳାକୋଳି ହୋଇ

ସୁଖେ ଜୀବନ ବିତାଇ ପାରନ୍ତେ,

ଲିଭିଯାନ୍ତା ମନୁ ଦୁଃଖ ଅବଶୋଷ

ହରଷେ କାଳାତିପାତ କରନ୍ତେ ।

କହନ୍ତେ ସରବେ ଆଜିର ମଣିଷ

କେବେ କେହି ନୁହଁନ୍ତି ସ୍ବାର୍ଥପର,

ବାଟବଣା ଥିଲେ ଏବେ ବାଟେ'ଛନ୍ତି

ପରସ୍ପର ଭାବ ଅତି ନିଜର ।

ମାତ୍ର ଏବେ ସର୍ବେ ବୋଲନ୍ତି କେବଳ

କି ଯୁଗ ଆସିକି ପହଞ୍ଚି ଗଲା

ମାନବିକ ଗୁଣ ସହିତ ଚଳଣି

ସବୁ ତ ବଦଳିବାରେ ଲାଗିଲା ।



Rate this content
Log in

Similar oriya poem from Inspirational