ଖୁଆଇବି ଆଣି ଘାସ
ଖୁଆଇବି ଆଣି ଘାସ


କୁନି ବାଛୁରୀ ମୋ ବଂଶୀ ନେଇଯିବ
ମାଆ ଲୋ ଆ' ଯିବା ଚାଲି ,
ମନେ ପଡ଼ୁଅଛି ପୁଚ୍ଛ ଟାଣି ତା'ର
ଖେଳୁଥିଲି ମୁହିଁ କାଲି ।
ମାଆ ଠାରୁ ଇଏ ଦୁଧ ପିଇ ସାରି
ଡିଆଁ ମାରୁଥିଲା ଦାଣ୍ଡେ ,
ଆ' ଆ' ଡାକି ଆଉଁଶି ଦେଲି ଯେ
ଚାଟି ଦେଲା ମୋତେ ତୁଣ୍ଡେ ।
ଭାରି କୌତୁକିଆ ଲାଗିଲା ବୋଲି ତା'
ଲାଞ୍ଜଟାକୁ ଦେଲି ଟାଣି ,
ମାଆ ତା'ର ଦେଖି ହମା ହମା କଲା
ଡିଆଁ ମାରିଲା ଏ ଶୁଣି ।
କଚାଡ଼ି ହୋଇକି ତଳେ ପଡ଼ିଗଲି
ଆଣ୍ଠୁ ମୋର ଗଲା ଛିଡ଼ି ,
ଏଇନେ ଦେଖୁନୁ ଚାହୁଁଛି କେମିତି
ବଇଁଶୀକୁ ମୁହଁ କାଢ଼ି ।
ନେଇଯିବ ଯଦି ଇଏ ମୋ ବଇଁଶୀ
ବଜାଇବି ଆଉ କିସ ,
ମନକୁ ତାହାର ମନାଇବା ଲାଗି
ଖୁଆଇବି ଆଣି ଘାସ ।