କହିବାର ଯାହା ଥିଲା-୧୩
କହିବାର ଯାହା ଥିଲା-୧୩
କାଖରେ କାଖେଇ
ତାରାକୁ ଦେଖେଇ
ଦେଉଥିଲୁ ସେବେ ଖୋଇ
ଏବେ ତାରାହୋଇ
ଲୁଚିଗଲୁ ତୁହି
ଖୋଜି ମୁଁ ତ ପାଉନାହିଁ।
ଆଖି ଖୋଜିବୁଲେ
ତାରାଙ୍କ ମେଳରେ
କେଉଁ ତାରା ରେ ତୁ ଅଛୁ
ଆଗପରି ଏବେ
ମୁଁ କାନ୍ଦୁଥିଲେ
ସତେ ଦେଖି କି ପାରୁଛୁ।
କହୁଥିଲୁ ତୁ
ଦୁନିଆରେ କେହି
କାହାର ନୁହନ୍ତି ବୋଲି
ଦେଖି କି ପାରୁନୁ
କେତେ ମୁଁ ଝୁରୁଛି
ତୁ ଚାଲିଗଲୁ ବୋଲି।
ଦିନ ପରେ ରାତି
ଆସୁଛି ନିତି
ଆକାଶ ବି ଅଛି ରହି
ଏମିତି ହୁଅନ୍ତା
ତୋ ପାଖେ ଯାଇ
ରହି ଯାଆନ୍ତି କି ମୁହିଁ।
ଏହିକଥା ତତେ
କହିବାର ଥିଲା
କହିତ ପାରିଲି ନାହି
ମା ତୋ ପରି
କେହିଜଣେ ଆଉ
ଏହି ଦୁନିଆରେ କାହିଁ?
