କହେ ଚନ୍ଦ୍ରକାନ୍ତ
କହେ ଚନ୍ଦ୍ରକାନ୍ତ
ଜୀବଦେହ ପାନ୍ଥଶାଳାକୁ ଆସିଛି ଦି ଦିନ ଅତୀଥି ହୋଇକି,
ପାଣି ଫୋଟକା ଏ ମଣିଷ ଜୀବନ ତଥାପି ଗରବ କାହିଁକି ?
ଅହଂକାର ପୁଣି ଗରବରେ ଥାଇ ପାଶୋରି ଯାଏ ମୁଁ କାଲିକି,
ଆଜି ମୋର ମୋର କହେ ସିନା ପୁଣି କିଏ ସେ ଦେଖୁଛି କାଲିକି ?
ମିଛମାୟା ଭରା ସବୁ ପରା ଶୂନ ଜୀବନେ ଭରଷା ନାହିଁକି,
ନିଶ୍ବାସ କେବଳ ଆସୁଛି ଯାଉଛି ବଡ ପଣ ଏହା ବୋଲିକି !
ମତେ ଆଜିଯିଏ ପାଉଛନ୍ତି ଭଲ ଛାଡି ଚାଲିଯିବେ ଭୁଲିକି,
ଯିବେ ଯିବେ ପୁଣି ନିନ୍ଦା ଦେଇଯିବେ ସତେ କେତେ ଖାଇ ଥୁଲିକି?
ହସ ଲାଗେ ଦେଖି ସେଇ ମାନଙ୍କୁ ତ ଅଳପ ପାଠୁଆ ବୋଲିକି,
ଗଳପ କିନ୍ତୁ ମୋ କଳପ କଳପ ହେଲେ ଅତି ପଣ୍ଡିତରେ ବାଇକି !
ଉଠାଏ ବସାଏ ବାହାଦୁରୀ ନିଏ ମୋ କଥାଟି ରହେ ଜାଣିକି,
ସତେ ସମସ୍ତଙ୍କ ଉପରେ ମାଲିକ ସଭିଙ୍କୁ ରଖିଛି କିଣିକି !
ଚାକର ହୋଇ ମୁଁ ମାଲିକ ବୋଲାଏ ନୀଳବଣ୍ଠ ଶୃଗାଳଟେ କି,
ହୁକେ ହୋ ବେଳ ଆସିଲେ ଭୟରେ ପ୍ରାଣରକ୍ଷା କରେ ରଡିକି !
କେତେ ଦିନ ଯାଏଁ ବାଘ ଛାଲ ତଳେ ଗଧ ରହିଥିବି ଲୁଚିକି,
ଅସଲ ଚେହେରା ଦିନେ ନା ଦିନେ ତ ପଦାକୁ ଆସିବ ଫୁଟିକି ?
ସେତେବେଳେ କିନ୍ତୁ ପାପୁଲିର ଗୁଡ ବହି ଯାଇଥୁବ ନେଡିକି,
ଚନ୍ଦ୍ରକାନ୍ତ କହେ କହିଦେ, ଧନରେ ସେ ଗୁଡ କେମିତିକା, ଯିବ ତୋର ପୁଣି ପାଟିକି ?