କହ କିବା ସେଠି ଭାଷିଲୁ
କହ କିବା ସେଠି ଭାଷିଲୁ
କହ ଲୋ ସଜନୀ ,ଶ୍ୟାମଙ୍କ ସାଥିରେ
କି ବାରତା ତୋର ହୋଇଲା ,
କୁଞ୍ଜବନେ ତାଙ୍କ ଅଙ୍ଗ ସଙ୍ଗ ଲଭି
ସାରା ନିଶି କିବା ସଇଲା !!
କି ବାରତା ତୋର ହୋଇଲା ।
ସରମି ଯାଅନା ସୁଶୀଳେ ଗୋ ଏଣେ
ମୋ ଆଡ଼କୁ ଚାହଁ ହରଷେ ,
କହି ସେ ମୋହନ ତୋଷିଲେ କି ମନ
ତାଙ୍କରି ମଧୁର ପରଶେ !!
ସୁଶୀଳେ ଗୋ ଚାହିଁ ହରଷେ ।
ଆମ ସଙ୍ଗେ ଯଦି ସ୍ନେହ ଭାବ ଅଛି
ଖୋଲି କହ ବାରେ ଶୁଣିବୁ ,
ତାଙ୍କ ଲୀଳା ପରା ଦେବଙ୍କୁ ଦୁର୍ଲ୍ଲଭ
ଜାଣିଲେଟି ଧନ୍ୟ ମଣିବୁ ।
ଖୋଲି କହ ବାରେ ଶୁଣିବୁ ।
ସାରା କୁଞ୍ଜବନ ସଜାଇ ଥିଲୁ ଯା'
ତାଙ୍କ ମନକୁ କି ପାଇଲା ,
ଆମ କଥା କିବା ପଚାରୁଥିଲେ ସେ
କହିଲୁ କି ବାକି ରହିଲା ।
ତାଙ୍କ ମନକୁ କି ପାଇଲା ।
କୋମଳ ବଦନୀ,ମଧୁର ଭାଷିଣି
କହ କିବା ସେଠି ଭାଷିଲୁ ,
ଅବା ସାରା ରାତି ଅଭିମାନ କରି
ଶ୍ୟାମଙ୍କ ଆଗରେ ବସିଲୁ !!
କହ କିବା ସେଠି ଭାଷିଲୁ ।