କେତେ ବା ସହିବି କୁହ ?
କେତେ ବା ସହିବି କୁହ ?
ହାଡ଼ ଦି ଖଣ୍ଡ ପୁଳେ ମାଂସରେ
ଗଢା ମଣିଷଟେ ମୁଁ
କେତେ ବା ସହିବି କୁହ
ଦିନରେ ସୂରୁଜ ରାତିରେ ଜହ୍ନ
ବିନା ବାଧାରେ ବରଷାର ପାଣି
ଅମାନିଆ ଶୀତ
ରାଜୁତି କରୁଥିବା ବସ୍ତିଘରେ ଜନମ ହୋଇ
ପଖାଳ ମୁଠିଏ
ଲୁଣ ଲଙ୍କା ପିଆଜରେ
ପେଟ ଭରିଲି ।
କେବେ କେବେ ବାବୁଭାୟା ପରି
ଖାଦ୍ୟ ପୁଳିଏକୁ ଅମୃତ ମଣିଲି ।
ଶୈଶବ କଣ ଜାଣେନା ମୁଁ
ତାରୁଣ୍ୟର ମଧୁରତା ଅନୁଭବ କରିନି
ହାତରୁ ଦିହାତ ହୋଇ
ଜଞ୍ଜାଳରେ ଛନ୍ଦି ହେଲି ।
ପେଟ ପାଇଁ ନାଟ
ଚାଲିଲି ଅନ୍ୟରାଇଜ
କାମଧନ୍ଦା ପାଇଁ
ମହାମାରି ଆସିଲା ପରେ
ହୋଇଗଲି କର୍ମହୀନ
ଭାବିଲି ଫେରିଯିବି ଗାଁକୁ ।
ବିସ୍କୁଟ କେଇଖଣ୍ଡ
ଦିମୁନ୍ଦା ପାଣି କୁ ଆଶ୍ରା କରି
କୋଶ କୋଶ ବାଟ ଚାଲିଛି ତ ଚାଲିଛି ।
ପହଞ୍ଚିଲି ସଂଗରୋଧ କେନ୍ଦ୍ରରେ
ବିତାଇଲି କିଛି ଦିନ
ଘରକୁ ଫେରିଲି
ଆଜି କିନ୍ତୁ ଅଜଣା ପାଲଟିଥିଲେ ଗାଁ ଲୋକ ।
ସନୀଆ କାକା,ନିଧି ଅଜା ,ରୂପା ନାନୀ
କେହି ମୋତେ ନ ଚିହ୍ନିଲା ପରି
ଗାଁ ରେ ପଶାଇଲେ ନାହିଁ ।
ପାଖ ଜଙ୍ଗଲ ଆଶ୍ରୟ ଘର ଏବେ
ଗଛ ଡାଳରେ ରହି
ମୁକ୍ତ ପବନରେ ଶୋଇବି
କିନ୍ତୁ
କଣ ବା ଖାଇବି
କେଉଁଠୁ ଆଣିବି ପାଣି ?
ହେ ପ୍ରଭୁ
ତୁମେ ତ ଅନାଥର ନାଥ
କେତେ ବା ସହିବି କୁହ ?
ମୁଁ ଆଉ ପାରୁନି
ତୁମେ ହିଁ ଶେଷ ଆଶ୍ରା ।