କେନ୍ଦରା
କେନ୍ଦରା
ମୁଁ ଅଟେ କେନ୍ଦରା, ବାଦ୍ୟଯନ୍ତ୍ର ପରା
ସର୍ବତ୍ର ଆନନ୍ଦ ବାଣ୍ଟେ,
ମୋର ଶବଦରେ ପାଦ ଯେ ଅଟକେ
ବାଜି ଉଠେ ବାଟେ ଘାଟେ ।
ବତା ଚମଡ଼ାରେ ମନୁଷ୍ୟ ହାତରେ
ଏଇ ଶରୀର ମୋ ଗଢ଼ା,
ତମ୍ବା ତାର କିଛି ଏପାଖ ସେପାଖ
ହୋଇଥାଏ ପରା ଭିଡ଼ା ।
ବାଜି ଉଠେ ଯେବେ ମନୁଷ୍ୟ ହାତରେ
ମିଠା ଶବଦ ମୁଁ କରେ,
ମୋତେ ଯେ ଗଢିଲା ତା ତୁଣ୍ଡରୁ କାଇଁ
ମିଠା କଥା ଯାଏ ଦୂରେ ।
ଯୋଗୀ ପୁଅଟିଏ ମୋତେ ଭଲପାଏ
କାନ୍ଧ ପରେ ଝୁଲୁଥାଏ
ଏଘର ସେ ଘର ଗ୍ରାମ ଗ୍ରାମ ପୁଣି
ତା ସାଥିରେ ବୁଲୁଥାଏ ।
ଘରକୁ ଫେରିଲେ ଅତି ଯତନରେ
ମୋତେ ସିଏ ରଖିଦିଏ,
ସକାଳୁ ସକାଳୁ ମୁଣ୍ଡରେ ଲଗାଇ
କେତେ ସନମାନ ଦିଏ ।
ମୋ ପାଇଁ ପରା ମୁଠାଏ ଚାଉଳ
ମିଳେ ବୋଲି କହୁଥାଏ,
ତାର ଗୀତ ସାଥେ ମୋ ଶବଦ ମିଶି
ଆହୁରି ମଧୁର ହୁଏ ।
ପିଲା ଏ ନାଚନ୍ତି ବୃଦ୍ଧ ଶୁଣୁଥାନ୍ତି
ମନଲୋଭା ଗୀତଟିଏ,
ସଭିଏଁ କହନ୍ତି ଯୋଗୀ ପୁଅ ହାତେ
କେନ୍ଦରା ଟି ଶୋଭାପାଏ ।
ଆଉଥରେ ବଜା କେନ୍ଦରା ଟିକିଏ
ଅଟକି ଗଲୁ ତୁ କାହିଁ,
କହୁଥାନ୍ତି ମାଏ ହସ ହସ ମୁହେଁ
ଯୋଗୀ ପୁଅଆଡ଼େ ଚାହିଁ ।
ହଜି ଗଲି ଆଜି ସମୟ ସୁଅରେ
ଲୋଡନ୍ତ୍ତିନି କେହି ମୋତେ,
ଘର କୋଣେ ରହି ଲୁହ ଢ଼ାଳେ ମୁହିଁ
ମୋ ପ୍ରତି ବିତୃଷ୍ଣା କେତେ ।
କାହିଁ ଗଲା ଆଜି ଯୋଗୀ ପୁଅ ହାଏ
କାହିଁ ଗଲେ ମୋର ଶ୍ରୋତା,
ଆଧୁନିକ ଯନ୍ତ୍ର ମୋ ସ୍ଥାନ ନେଲାଣି
ଭୁଲି ଲେଣି ମୋର କଥା ।
ଶାନ୍ତ ପରିବେଶ ଅଶାନ୍ତ ହେଲାଣି
ଅସ୍ଥିର ହେଲେଣି ସର୍ବେ,
ସ୍ନେହ ପ୍ରେମ ନାହିଁ ଦଦୟେ କାହାର
ମଥା ଟେକୁଥାନ୍ତି ଗର୍ବେ ।
