କେଇପଦ କବିତା
କେଇପଦ କବିତା
ଶବ୍ଦର ବିନ୍ୟାଶ କରୁ କରୁ
କବିତାର ଝଙ୍କାର ନିନାଦିତ ହୁଏ,
ସପ୍ତ ଶିଳାର ଗର୍ଭରୁ ତ
କେବେ ଝରଣାର କୁଳୁ କୁଳୁ ନାଦରୁ
ପୁଣି କେବେ କେବେ ଆକାଶର
ଧୁସର ଛବିରୁ ଲୋତକ ଝରେ ।
ପିମ୍ପୁଡିର ଦିଶା ହୀନ ଯାତ୍ରାରେ
କ୍ଲାନ୍ତିର ସ୍ୱାର୍ଥକତାରେ
ପ୍ରିୟାର ପ୍ରତିଛବିରେ ପ୍ରୀତିର ମାଦକତାରେ,
ଉଇର ଗୋଟେ ଗୋଟେ ପାଦ ଚିହ୍ନରେ
ଆକାଶ ଛୁଇଁବାର ପ୍ରୟାସରେ।
ସମୁଦ୍ରର ଅମାତ ଗର୍ବରେ,
ତରଙ୍ଗର ଅଭିମାନୀ ସ୍ପର୍ଶରେ,
କେବେ କେବେ ହାଲ୍କା ଲାଗେ ମୋ ମନ;
ଭାବର ଶାଢ଼ୀକୁ ପରିଧାନ କରି
ରସର କଳାରେ ଅଳଙ୍କୃତ ହୋଇ
ମୁକ୍ତ ଛନ୍ଦରେ କେବେ ସୂକ୍ତ ହସ ଥାଏ ,
ପୁଣି କେବେ ଛନ୍ଦର ଚାନ୍ଦରେ ନାଚୁଥାଏ ।
ପ୍ରତି ଧାଡିରେ ମୋର ପୁନର୍ଜନ୍ମ,
ପ୍ରତି ଶବ୍ଦରେ ପୁନଃମୃତ୍ୟୁ,
ମୟୂର ପୁଞ୍ଛରେ ମନୋରମ ନୃତ୍ୟରେ କେବେ ତା ପାଦର ପଛ ପଟ ଯନ୍ତ୍ରଣା
ନିରସ୍ତ୍ର ଯୋଦ୍ଧାର କ୍ଷତାକ୍ତ ଶରୀରରେ
ମାତୃଭୂମି ପାଇଁ ଶେଷ ହସଟିଏ ।
ମୁଁ କବିତା, ମୋ ନୀଡ଼ ଅସରନ୍ତି
ମୁଁ ସୁପ୍ତ ମନରେ ସଦା ଜାଗ୍ରତ,
ଅପହଞ୍ଚ ଦୁର୍ଗର ଶେଷ ଦ୍ୱାର ମୋ ଠିକଣା ,
ମୁଁ ଲେଲିହାନ, ମୁଁ ମୁକ୍ତ
ମୁଁ ଲେଲିହାନ, ମୁଁ ମୁକ୍ତ।
