ଅଭେଦ୍ୟ ସ୍ମିତହାସ୍ୟ
ଅଭେଦ୍ୟ ସ୍ମିତହାସ୍ୟ
କେଶବ !
ଏ ଧର୍ମ ଯୁଦ୍ଧ
କାହା ପାଇଁ
ତୁମ ଶସ୍ତ୍ର କଣ
ସତରେ ଶାଣିତ ?
ତେବେ କାହିଁକି
ତୁମ ସୁଦର୍ଶନ
ସ୍ତବ୍ଧ ,ନିରୁପାୟ
କୁନ୍ଦୁଲିର ଯନ୍ତ୍ରଣାରେ
ନିର୍ଭୟାର ବିବଶତାରେ !
କେଶବ !
ଇତସ୍ତତଃ ତୁମ ଉପସ୍ଥିତି
ଦରବାରୀ,ଦରଜା
ପୂର୍ବାହ୍ନ, ସାୟାହ୍ନ
ପ୍ରତି ଅଣୁକୋଣରେ
ତେବେ କାହିଁକି
ବୟସର ଅପରାହ୍ନରେ
ଆଜି ଜରାଜୀର୍ଣ୍ଣ ମାନବିକତା
ଜନ୍ମପିଣ୍ଡ ଯାଇ ନର୍ଦ୍ଦମାରେ !
କେଶବ !
ତୁମ ସ୍ମିତହାସ୍ୟ
କାହାପାଇଁ
କ୍ରିଷ୍ଣା ଇଣ୍ଡଷ୍ଟ୍ରୀରେ
ଜଳି ପାଉଁଶ ହୋଇଥିବା
ନନ୍ଦ ପାଇଁ ?
ନା ବସ୍ତିରେ ଥିବା
ବାପ ଛେଉଣ୍ଡ
ଶ୍ରବଣ କୁମାର ପାଇଁ
ନା ନା
ବୋଧେ ସ୍ୱାମୀ ହନ୍ତା
ସାବିତ୍ରୀ ପାଇଁ !
କେଶବ !
ତୁମ ଛଳନା
କାହା ପାଇଁ
ପ୍ରେମରେ ଧୋକା
ଖାଇ ଅନ୍ତସତା
ରାଧା ପାଇଁ
ନା ଶୁଷ୍କ ଜମିର
ତୃଷ୍ଣା କୁ ସହିନପାରି
ବିଷ ପିଇ ଥିବା
ଅର୍ଜୁନ ପାଇଁ
କଣ ସତରେ ତୁମେ
ନିରୁପାୟ ?
କେଶବ !
ତୁମ ଶସ୍ତ୍ର କଣ
ହଜିଯାଇଛି ?
ତୁମ ବଇଁଶୀ
କଣ ବେସୁରା
ହୋଇଗଲାଣି
କେଶବ !
କେଶବ ତୁମେ ହାରିଯାଇଛ
ତୁମ ସ୍ମିତହାସ୍ୟ ଅଭେଦ୍ୟ
ଏ ଧର୍ମ ଯୁଦ୍ଧରେ ।
