କେବେ ନେବ କରି ରାଣୀ
କେବେ ନେବ କରି ରାଣୀ
ନିରୋଳାରେ ଯେବେ ଥାଏ ବେଳେବେଳେ
ସେଇକଥା ହୁଏ ଭାବି ,
ଯେଉଁଦିନ ତୁମେ ରଙ୍ଗ ତୂଳି ନେଇ
ଆଙ୍କୁଥିଲ ମୋର ଛବି ।
ସେଇଦିନ ମୁହିଁ ଲାଜେଇ ଯାଇକି
କଣେଇ ଚାହିଁକି ଟିକେ ,
ତରତର ହୋଇ ଛପିଗଲି ଯାଇ
ବଉଳଗଛର ପାଖେ ।
ଆକାଶକୁ ଚାହିଁ ଭାବନାରେ ବୁଡ଼ି
ଟାଣୁଥିଲ କିଛି ରେଖା ,
ପରେ ସେଇଥିରେ ଅତି ଯତନରେ
ରଙ୍ଗ ବି ହୋଇଲା ମଖା ।
ଜନମ ଦିନରେ ଉପହାର ଦେଲ
ସେଇ ଛବି ଆଣି ମୋତେ ,
ତୁମକୁ ସେବେଠୁ ଦେଇଦେଲି ଏଇ
ମନଟିକୁ ଅଜାଣତେ ।
ମୋ ଛବି ଭିତରେ ଦିଶେ ତୁମ ମୁହଁ
ନିରୀହ ଗମ୍ଭୀର ଠାଣି ,
ସେଇଦିନଟିକୁ ପ୍ରତୀକ୍ଷା କରିଛି
କେବେ ନେବ କରି ରାଣୀ ।

