କେବେ କେବେ - - -
କେବେ କେବେ - - -
କେବେ କେବେ ଭାବିବସେ
ଅବାନ୍ତର ଅଣଗୁରିଆ କଥା- ନଥା
ଝର୍କାପାଖେ ବସି ମାଗିବସେ
ଅନନ୍ତ ଆକାଶର ଶୂନ୍ୟତା ନିଃସଙ୍ଗତା ।
ଫୁଲଫୁଟା ବେଳେ ଦେଖିହସେ
ଭସା ବାଦଲର ବିଳାପିତ ପ୍ରଳାପିତ ମୁଗ୍ଧତା
ସଂଜ ବେଳେ ଆଖିଖୋସେ
ମତୁଆଲା ପବନର ସୁ ସୁ ହିଲ୍ଲୋଳିତ ମାଦକତା ।
ତୁମେ ପାଖେ ବସିଥାନ୍ତ ଦେହକୁ ଲଗେଇ ନାଇଟି ଗଳେଇ
ଏମିତି କୁହନ୍ତ ଆଖି ନଚେଇ
ସେମିତି ଗପନ୍ତ କଟି ବୁଲେଇ
କେମିତି ହସନ୍ତ ଦାନ୍ତ ଦେଖେଇ
ରାଗି ଯାଆନ୍ତ ମିଛିମିଛିକା ଆଉଜେଇ
ମିଳେଇ ଯାଆନ୍ତା ଶତାବ୍ଦୀର କୋହ ଉନ୍ମାଦ ହୋଇ ।
ହାୟ ! ଏମିତି ହୁଅନ୍ତା କି
କେବେ କେବେ ! ! !
କେବେ କେବେ ନୀରବ ନୀଥର ମନରେ ହୁଏ କଳରୋଳ
ଅଖାଡୁଆ ଭାବନା ଧସେଇ ପଶେ
ଚପଳ ଚଞ୍ଚଳ ତରଳ ଅଥଳ ।
ମଧ୍ୟାନ୍ନର ତତଲା ପ୍ରହରେ ଭାବିବସେ
ତରୁଡାଳେ ପକ୍ଷୀର କାକଳୀ
ମଧ୍ୟରାତ୍ରେ କଡ଼ ଲେଉଟିବା ବେଳେ
ମୁରୁକି ହସେ ସୃଷ୍ଟି ସର୍ଜନାର ବର୍ଣ୍ଣ।ଳୀ ।
ଶୀତ ସକାଳର କୁହୁଡିରେ ମାଗିବସେ
ସୋରିଷ ଫୁଳିଆ ମରାଳୀ
ରଜତ ଜ୍ୟୋସ୍ନାରେ ଭିଜି ଆଖିଖୋସେ
ସିମେଣ୍ଟ କନ୍ୟାର ଜୀବନ୍ୟାସ ପାଷାଣୀ ପାତଳୀ ।
ତୁମେ ପାଶେ ବସିଥାନ୍ତ ବାହୁବଳୟର ମେଖଳା ଧାର
ଏମିତି ଲାଗନ୍ତା ସହରଟା ଏକଦମ ନିଜର
ସେମିତି ଭାବନ୍ତି ଗଜରାର ବାସ୍ନା ଆପଣାର
କେମିତି ଇଚ୍ଛନ୍ତି ଲଳିତ ଲୋଭିଲା ଦେହ ସ୍ନେହର ।
ରୋଷିଯାଆନ୍ତ ମିଛିମିଛିକା କୋଳେଇ ନେବାର ଇସ୍ତାହାର
ଉଭେଇ ଯାଆନ୍ତା ଯୁଗ ଯୁଗର କ୍ଲାନ୍ତି ଅଵସାଦ ଶତବାର ।
ହାୟ ! ଏମିତି ହୁଅନ୍ତାକି
କେବେ କେବେ ! ! !

