କବିଟିଏ ସିଏ
କବିଟିଏ ସିଏ
ମନରେ ଭାବିଲି ଆଜି ଏଣେ ତେଣେ ବୁଲି
ମନେ ଥିବା ଖବର ସବୁକୁ,
ସମାଜରେ ବିଭିନ୍ନ ବ୍ୟକ୍ତିଙ୍କର କାର୍ଯ୍ୟକଳାପ
ସବୁ ଏଠି ପ୍ରକାଶ କରିବାକୁ |୧|
ରୋଗୀଟିଏ ତାର ଅସହ୍ୟ ଯନ୍ତ୍ରଣାରେ ଛଟ
ପଟ ହେଉଥିବା ସମୟରେ,
ବଂଚିବା ଓ ସାହାରା ପାଇଁ ଉପସ୍ଥିତ ହୁଏ ସେ
ଭଗବାନରୂପୀ ଡାକ୍ତର ପାଖରେ |୨|
ଡାକ୍ତରଟିଏର ନିଜର ଗାରିମା ବୁଦ୍ଧି ବଳ
ପ୍ରୟୋଗରେ ରୋଗୀ ସୁସ୍ଥ ହୁଏ
ଆଜି ସେଇ କର୍ତ୍ତବ୍ୟର ଆବଶ୍ୟକତା ବିିଭିନ୍ନ
ସ୍ଥାନରେ ଅଭାବ ଦେଖା ଦିଏ |୩|
ଯାଇଅଛି ବହୁ ଡାକ୍ତରଙ୍କ ପାଖକୁ ଯିଏ ଧାଇଁ
ଥାନ୍ତି ନିଜ ସୁବିଧା ପଛରେ
ହଜାରକେ ଏକ ପାଇଛି ଯାହାର ମନୋବୃତ୍ତି
ହିଁ ମାନବର ସେବାରେ |୪|
ମୁଁ ହିନ୍ଦୁ, ଯାଇଛି ଆମ ଦେଶରେ ରହିଥିବା
ହଜାର ହଜାର ମନ୍ଦିର ଭିତରକୁ
ଦେଖିଅଛି ଚିତା ଚଇତନ କାଟି, କିଛି ଧର୍ମ
ଧ୍ୱଜାଧାରୀ ଠକନ୍ତି ନିରୀହ ଲୋକଙ୍କୁ |୫|
ଅମଣିଷପଣିଆ ରାଜୁତି କରୁଛି ସେମାନଙ୍କ
ଠି ମଣିଷ ଖୋଳପା ଭିତରେ
ନାନା ଉତ୍ପାତ କରିବା ଦେଖିଛି, ରଖି ଫିସାଦିଆ
ମଣିଷର ହାବଭାବରେ |୬|
ଦେଖିଛି ରାସ୍ତାପାର୍ଶ୍ୟ ବୃଦ୍ଧ କୃଷକଙ୍କୁ କୋଦାଳ
ଧରି ଗାତ ଖୋଳିବାରେ,
ବହୁ ଶ୍ରମିକ କୃଷକ ଉତ୍ତର ମତେ ଦେଇଛନ୍ତି,
ସେମାନଙ୍କୁ ପଚାରିବାରେ |୭|
ଇଶ୍ୱରଙ୍କ ଭଜନ ପୂଜନ ସମ୍ପର୍କରେ ବିଶେଷ
କିଛି ତ ଜଣାନାହିଁ ତାଙ୍କୁ
ସୃଷ୍ଟିର ସର୍ବ ପ୍ରାଣୀ ଇଶ୍ୱରଙ୍କ ସନ୍ତାନ, ଶ୍ରମ
କରନ୍ତି ତାଙ୍କ ଅଂଶ ମଣିଷଙ୍କୁ |୮|
ପଥେ ଯାଉ ଯାଉ ଦିନେ ପଶିଥିଲି ମୁଁ କବି
ଅନନ୍ତ ପଟ୍ଟନାୟକଙ୍କ ଘରକୁ
ପଚାରି ଥିଲି କବିଙ୍କର କର୍ତ୍ତବ୍ୟ କଅଣ, ତାହା
ମୋତେ ଟିକିଏ କହିବାକୁ |୯|
ଯିଏ ନ୍ୟାୟର ପୁଷ୍କରିଣୀକୁ ଖୋଜିବାରେ ତ
ମଣିଷଙ୍କୁ ସହାୟତା କରିଥାଏ,
ଯାହା ଫଳରେ ସରବଙ୍କ ନ୍ୟାୟ ତୃଷା ଦୂର
ହୋଇ ପାରିବ, କବିଟିଏ ସିଏ |୧୦|
ଏହିଠାରେ ମନେ ପଡୁଅଛି ମୋର ପଠନ
କରିଥିବା ଏକ ସଂସୃତର ପଂକ୍ତି,
ତାହାର ଯଥାର୍ଥତା ଅଛି ବୋଲି ମୁଁ ଏଠାରେ
କରୁଅଛି ତାହାର ଉଦ୍ଧୃତି |୧୧|
କବିଃ କରୋତି ପଦ୍ୟାନି ଲାଳୟତ୍ୟୁତ୍ତମୋ ଜନଃ |
ତରୁ ପ୍ରସୂତେ ପୁଷ୍ପାଣି ମରୁଦ୍ ବହତି ସୌରଭମ୍ ||
ତରୁ ପୁଷ୍ପ ସୃଷ୍ଟି କରନ୍ତି, ମରୁଭୂମି ମଧ୍ୟ ତାର
ସୁବାସକୁ ପାଇ ଥାଏ
କବି ପଦ୍ୟ ରଚନା କରଇ, ତାର ମାଧୁର୍ଯ୍ୟକୁ
ପାଠକର ଲାଳନ ପାଳନେ ରହେ |୧୨|
କବିର କଳ୍ପନା, ମନର ଭାବନା, ଚେତନାର
ପ୍ରାଚୁର୍ଯ୍ୟରେ, ହୁଏ ଯେଉ ଗାଥା
ସେ ତ ହୋଇ ପାରଇ ଜଗତ ଭିତରେ କେବଳ
ଗୋଟିଏ କାଳଜୟୀ କବିତା |୧୩|
କବି ସିଏ, କୌଣସି କାରଣରେ ବିଦଗ୍ଧ ମନର
ଗୋପନ ବାରତାକୁ ଫୁଟାଇ ପାରେ,
କବି ସିଏ, ମନର ନିର୍ଝର ମରୁରେ ନୂତନତା ଓ
ପ୍ରାଣର ସତ୍ତାକୁ ଝରାଇ ପାରେ |୧୪|
ଆଶା ମନେ ରଖେ ମୋର ହୃଦୟରେ ସଦା ଏହି
ଭାବନାଟି ରହିଥାଉ
ଲେଖନୀ ମୋର ସଦା ସମାଜର ନିର୍ବଳ ମଣିଷଙ୍କ
ପାଇଁ ବାରତାକୁ କହୁ |୧୫|
