କବିତା
କବିତା
ଶବ୍ଦ ତାଳ ଯୋଡି ଯତିପାତ ଭିଡି
କବିତା କେବେ ହୁଏନା,
ଭାବର ଅନ୍ତରେ ଅକ୍ଷର ଛନ୍ଦରେ
କବିତା ଜନ୍ମ ନିଏନା ।
କବିତା ପରା ସେ ମହୁଲିର ନିଶା
ଇନ୍ଦ୍ରିୟ ଚେତା ଉପରେ,
ଭାବର ରାଇଜେ ରାଜା ପରା କବି
ବିଚରେ ଦିବ୍ଯ ସୁଖରେ ।
ଶବ୍ଦ ଧାଉଁ ଥାଏ ବାଛୁରୀଟିଏ ସତେ
ଯେବେ ଛୁଏଁ ଭାବ ମନେ,
ଶବ୍ଦର ପ୍ରେମରେ ମତୁଆଲା ହୁଏ
ଜନମେ କବିତା ଦିନେ ।
କବିତା ଆସଇ ତମସା ଭିତରୁ
ଆଲୋକ ରୋଷଣୀ ନେଇ,
ଅନ୍ଧାରୀ ମୂଲକେ ସମାଜର ବୁକେ
ମୁକ୍ତିର ସ୍ବାଦୁ ଚଖାଇ ।
ଭାବ ତାର ହିଆ ଶବ୍ଦ ଅଟେ ପ୍ରିୟା
ପାଗଳ ପ୍ରେମିକ କବି,
ସ୍ମୃତିର କ୍ଷେତରେ ଜୀବନ ବେଦରେ
ରଚିଥାଏ କେତେ ଛବି ।
ସର୍ଜନା ତାହାର ମାନସ ସନ୍ତାନ
ଆଦରେ କେତେ ସଜାଡେ,
ସରସ ସୁନ୍ଦର କରିବା ଲାଗି ସେ
ଶରଧା ଯେତେ ନିଗାଡେ ।
ତାହାରି ଛାତିରେ ସାଇତା ଥାଏ ଯେ
ଜୀଇଁବାର ସବୁ କଥା,
ସକଳ ସନ୍ଦେଶେ ଜୀବନ ଚଳିଲେ
ଦୂର ହୁଏ ଯେତେ ବ୍ଯଥା ।
ଲୁହର ଗହନେ ଲହୁର ଦହନେ
କବିତା ଜନମି ଥାଏ
ଭାବର ସାଗରେ ଉଛୁଳି ପଡଇ
ପ୍ରେମରେ ଭସାଇ ଦିଏ ।
ଭଲ ପାଇବାର ଜଳନ୍ତା ଜୁଇରେ
ଜଳିଥାଏ ଥରେ ଯିଏ
ନାଗର ଦଂଶନ କାଳର ମନ୍ଥନ
ମୃତ୍ଯୁ ବି ଆତଙ୍କି ଯାଏ ।
ମାଟିର ମହକେ ଶବ୍ଦର କୁହୁକେ
ବଖାଣେ ଅବ୍ଯକ୍ତ ଭାଷା
ନିରାଶା ଜୀବନେ ସରସ ଭରଇ
ଉଙ୍କି ମାରେ କେତେ ଆଶା।
ସମାଜର କଥା ଜୀବନର ଗାଥା
ସେବା ତାହାରି ସନ୍ଦେଶ
ମାଟିର ଭାଷାକୁ ଜୀବନ୍ଯାସ ଦେଲେ
କବିତା ଲଭିବ ଯଶ ।
