କବିତା
କବିତା
ଯୁଦ୍ଧ ଭୟ ହେଉ କି
ସଂକ୍ରମିତ ମୃତ୍ୟୁ ଭୟ
ଅମ୍ଳଜାନ ସିଲିଣ୍ଡର ଦୁର୍ମୂଲ୍ୟ
ତେଲ ଦର ଆକାଶ ଛୁଆଁ
ବସ୍ ଧର୍ମଘଟ
ଦିନ ଦିପହରେ ମର୍ଡ଼ର
ଛାତରୁ ଡେଇଁ ଛାତ୍ରୀ ବା ଛାତ୍ର ଆତ୍ମହତ୍ୟା
ବାଳତ୍କାରୀ ଝିଅ ଶବ ମିଳେ ନଈ ପଠାରୁ
ଏମିତି କିଛି ଦୃଶ୍ୟ ,ଚିତ୍ର କି ଚରିତ୍ର
ଦୋହଲାଇ ଦେଲେ ମଞ୍ଜ
କଲମ ମୋ ଯେତେବେଳେ
ଗାରାଏ କିଛି
ତୁମେ ଦେଇଥିବା ଡାଇରୀ ଛାତିରେ
ତା ନା କଣ କବିତା କି?
ଘଟଣା,ଚରିତ୍ର ଯେବେ
ବାଡେଇ ହୁଅନ୍ତି ମୋ ହୃଦ କାନ୍ଥରେ
ପମି ମାତ୍ର ପଚିଶି ବର୍ଷରେ
ଖାଲି ମଥା
ଲଙ୍ଗଳା ହାତ
ଅଭେକା ବେଶ
କୋଡ଼ରେ ସାତ ମାସ ଝିଅ ମିଷ୍ଟି ,
ସପନା ମଦ ପିଇ ଗଡୁଛି ବାଟେ ଘାଟେ
ପ୍ରତାରଣା କରି ତା ସ୍ତ୍ରୀ ରଜନୀ
ପଳେଇଲା ରତନା ଡ୍ରାଇଭର ସଙ୍ଗେ
ଏଇ ମାସ ଏଗାର ତାରିଖରେ ,
ପିଲାଟିଏ ପାଇଁ ନିଇତି ମୁଣ୍ଡ ପିଟି ପିଟି
ବୁଇ ନାନୀ କତରା ଲଗା,
ପୋଲିଓ ଗୋଡେ
ଲଙ୍ଘିବାକୁ ଗିରି
ସାହସ ଭିଡ଼ିଛି ବନା
କିବା
ତୋ ପାଇଁ ମୋ ମନ ତଳେ
ଜହ୍ନ କଡ଼ ଲେଉଟାଏ
ଓଦା ହୁଏ ନିତି ପାହାନ୍ତା ପହର ନିଦ
ଏସବୁ ଉତାରି ହୋଇ ଗଲେ
କାଗଜ ବୁକୁରେ
ନାଁ ତାର କବିତା ହୁଏ କି?
ବର୍ଷା ଛିଟାରେ ଖୋଲା ଝର୍କା
ସେପଟେ ପବନରେ ହସୁଛି ମୂର୍କି ମୂର୍କି
ଦର ଫୁଟା ଗୋଲାପ ଫୁଲଟି
ଆମ୍ବ ଗଛେ କୋଇଲି ରାବୁଛି କୁହୁ କୁହୁ
ବଉଳ ବଉଳ ବାସୁଛି ଦେହ ମନ
ଫଗୁଣ ଆସୁଛି ଦୋଳ,ଅବିରରେ
ହଳଦୀ ବସନ୍ତ ଉଡୁଛନ୍ତି
ଏ ଡାଳୁ ସେ ଡାଳ
ଦାନ୍ତ ନେଫେଡେଇ ହସୁଛି ସିମିଳି ଫୁଲ
କୃଷଚୁଡା ଆସିବ ବୋଲି ବାତିନି ଦେଇଛି
ଏଗୁଡା ଲେଖିବା କବିତା କି?
ଭିଡ଼ ଭିତରେ ମାଳିନୀ ଏକା
ମର୍ଦ୍ଦ ତାର
କାମ ବାଲି ପ୍ରେମରେ ଗୋଇଠା ମାରୁଛି
ତା ଛାତି ପଞ୍ଜରାକୁ ,
ପାଗେଳିଟା ପ୍ରସବ ବେଦନାରେ
ଛଟ ପଟ ହେଉଛି ରାସ୍ତା ଦାଢ଼ରେ
କିଏ ଅମଣିଷ ତାକୁ ମାଆ କରେଇଲା?
ଡିଭୋର୍ସି ମାର ଝିଅ 'ଖୁସି'
ଖୋଜୁଛି ବାପା ସ୍ନେହ
ବୁଢ଼ାଟା ରଙ୍ଗ କରି ଦାଢ଼ି,ଚୁଟି
ବାହା ହେଉଛି ଷୋଳ ବୟସୀ
ତା ଝିଅର ବାହା ହେବା ବୟସ କିନ୍ତୁ ଗଡିଗଲାଣି
କାଳ ବୈଶାଖୀ କାଚି ଦେଇ ଯାଉଛି
ଅଦିନିଆଁ ବର୍ଷା
ଟିଟିଲାଗଡ଼ରେ ପାରଦ ସ୍ତମ୍ଭ ଚାଳିଶି ଉପରେ
ଅନୁଭବର କଥା ,ହୃଦୟର ବ୍ୟଥା
କାଗଜ ବୁକୁରେ ଲେଖି ଦେଲେ
ନାଁ ତାର କବିତା ହୁଏ କି?
କବିତା !
ତୁ ବି କଣ ଭୟରେ ଥରୁଛୁ ?
କରୋନା ବିଶ୍ଵଗ୍ରାସୀ ମହା ମାରି ପାଇଁ..
ନା ଶେଷ ହେବାର ନାଁ ନେଉ ନଥିବା
ଯୁଦ୍ଧ ପାଇଁ
ମଣିଷ ପଣିଆ ଏବେ କାହା ଠାରେ ନାହିଁ
ସାଥୀ ସବୁ ସ୍ବାର୍ଥୀ
ପଲ ପଲପ୍ରେମର ଶତ୍ରୁ
ଦେଶର ଶତ୍ରୁ
ଗଜା ମରୁଡି ହେଲାଣି ସ୍ୱପ୍ନର ଗଜା
ଟଙ୍କିକିଆ ଚାଉଳ ଭିତରେ
କବିତା ଲୋ! ମୁଁ ତୋତେ ଖୋଜୁଛି
ପାଣି ପକେଇ ଏ କବିତା ଦିବସରେ
ହେଲେ ମୋତେ ଲେଖି ଆସୁନି କବିତା
ତୁ କେଉଁଠି ଲୋ କବିତା?
