କବିତା ଗୋ,ନିଶିଗନ୍ଧା
କବିତା ଗୋ,ନିଶିଗନ୍ଧା
କବିତାରେ ଝୁମି ଝୁମି
କବିତାକୁ ଚୁମି ଚୁମି
କବିତା କୋଳରେ ଯାଉ ଦିନ ।
କବିତାର ସୁଷମାରେ
ତାରା ଫୁଲ ଉଙ୍କି ମାରେ
ମୁକୁତା ମୁଗଧେ ହୁଏ ଲୀନ ।।
କବିତା ଯେ ସୁକୁମାରୀ
ରୂପ ତା'ର ଅସୁମାରୀ
ରଙ୍ଗ ତା'ର ଇନ୍ଦ୍ରଧନୁ ପରି ।
ଭାବ ତା'ର କାଳଜୟୀ
ହାସ୍ୟମୟୀ,ଲାସ୍ୟମୟୀ
କଥା ତା'ର କାହାଣୀ ଶର୍ବରୀ ।।
କବିତା ମନର କଥା
ଲାଜରେ ନୁଆଇଁ ମଥା
ଗାଇଯାଏ ରାଗର ରାଗିଣୀ ।
ସେ ରଙ୍ଗରେ ଭରି ଥାଏ
ଅମାପ ଅସରା କଥା
କହିଯାଏ ହିତ ହିତ ବାଣୀ ।।
ମାଆ ତା'ର ବୀଣାପାଣି
ସାରସ୍ୱତ ଶିରୋମଣି
ବାଣୀରେ ତା'ବୀଣାର ଝଙ୍କାର ।
ସେ ଝଙ୍କାରେ ଝରୁଥାଏ
ସ୍ୱର୍ଣ୍ଣ ସଂସ୍କାର ପୁଳାଏ
ସ୍ୱର ତା'ର ଅଜର ଅମର ।।
କବିତା କୋମଳ ଲତା
କବି ତା' ପରମ ପିତା
କବିର ସେ ମାନସୀ ସୁକନ୍ୟା ।
କବି ଓ କବିତା ମିଶି
ତାରା ମେଳେ ନିଶି ଶଶୀ
ସ୍ନେହ ସରାଗର ଶୁଭ୍ର ବନ୍ୟା ।।
କବିତା ଗୋ, ନିଶିଗନ୍ଧା
ସ୍ନେହରେ ସ୍ନେହରେ ବନ୍ଧା
ରୂପ ତୁମ ମୁକୁଳ ବଉଳ ।
ବଉଳ ବାସନା ନେଇ
ମିଠା ମିଠା କଥା ଦେଇ
ବାଣ୍ଟିଦିଅ ସ୍ନେହ ଅନାବିଳ ।।
ସେ ସ୍ନେହରେ ଭରିଯାଉ
ସମାଜ ସଂସ୍କାର ଢେଉ
ଭିଜିଯାଉ ମାଟିର ମହକ ।
ଆବାଳ ବୃଦ୍ଧ ବନିତା
କହିବେ ଜଗତ ଜିତା
ଶାନ୍ତି,ପ୍ରୀତି, ସତ୍ୟ ଆବାହକ ।।