କବିତା ଆଳାପ-19 (ଦ୍ଵିତୀୟ ସପ୍ତାହ) କବିତା- ନଦୀ ସାଗର
କବିତା ଆଳାପ-19 (ଦ୍ଵିତୀୟ ସପ୍ତାହ) କବିତା- ନଦୀ ସାଗର
ନଦୀକୁ ସୁଧୀରେ ସାଗର ପଚାରେ କହ ମୋତେ ସତକଥା,
ନଈବଢି ବେଳେ ଉଗ୍ରରୂପ ନେଇ ବୃକ୍ଷକୁ ଦେଉଛୁ ବ୍ୟଥା |
ଛୋଟ ଛୋଟ ଘାସ ଗଛ-ବୁଦା ଯେତେ ଆରାମରେ ରହୁଛନ୍ତି,
ବଡ଼ବଡ଼ ଦାରୁ ଉପାଡ଼ି ପକାଉ ଭାସି ଭାସି ଯାଉଛନ୍ତି |
ପକ୍ଷପାତ ନୀତି ଚଳାଇ ଏମିତି କରିଥାଉ କିଆଁ କହ,
ସାମାନ୍ୟ ଘାସକୁ ଉପାଡ଼ି ପାରୁନା ଦେଖି ତା' ସବୁଜ ମୁହଁ |
ନଦୀ ହସି କହେ- ନଈବଢି ଦେଖି ଶରଣ ପଶନ୍ତି ଯିଏ,
ମଥା ନଇଁ ମୋତେ ବାଟ ଛାଡ଼ିଦେଲେ ତାଙ୍କୁ କ୍ଷମା କରିଦିଏ |
ବଡ଼ବଡ଼ ବୃକ୍ଷ ମଥାଟେକି ଗର୍ବେ ଦେଖାଇଲେ ମିଛ ବଳ,
ତାଙ୍କରି ଗର୍ବକୁ ଖର୍ବ କରିବାକୁ ଉପାଡ଼େ ତାଙ୍କର ମୂଳ |
ମଥା ନଇଁଦେଲେ କେଡ଼େ ବଡ଼ବଡ଼ ବିପଦ ବି ଟଳିଯାଏ,
ଅହଂକାର କରି ବଳବାନ ପ୍ରାଣୀ ନିଜମୃତ୍ୟୁ ଆପଣାଏ |
ସାଗର ଶୁଣିଲା କେତେ ଭାବିହେଲା ସତକଥା କହେ ନଈ,
ସବୁଠାରୁ ଧନୀ ବଡ଼ ହୋଇଲେ ବି ମୁହିଁ ଗର୍ବ କରେନାହିଁ |
